ପାକିସ୍ତାନ ଉପରେ ଆହୁରୀ ହେବ ପ୍ରଚଣ୍ଡ ପ୍ରହାର: ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ଆକ୍ରମଣ ପରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସମସ୍ତ ଅର୍ଦ୍ଧସାମରିକ ବାହିନୀର ମୁଖ୍ୟମାନଙ୍କୁ ଛୁଟିରେ ଥିବା ସେମାନଙ୍କର କର୍ମଚାରୀମାନଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶାହ ଜମ୍ମୁ-କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ସାଧାରଣ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ନିଶ୍ଚିତ କରିବାକୁ ମଧ୍ୟ ସେ ସେମାନଙ୍କୁ କହିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ସାଧାରଣ ଜନତାଙ୍କୁ ଆଶ୍ରୟ ଦେବା ପାଇଁ ବଙ୍କରଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ବୋଲି ସୂତ୍ରରୁ ଜଣାପଡିଛି। ସେ କହିଛନ୍ତି ଯେ, ଗୃହମନ୍ତ୍ରୀ ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ମୁଖ୍ୟମାନଙ୍କୁ ଛୁଟିରେ ଥିବା କର୍ମଚାରୀମାନଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶାହା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପରିସ୍ଥିତିର ମଧ୍ୟ ସମୀକ୍ଷା କରିଥିଲେ ଏବଂ ଶୀର୍ଷ ସୁରକ୍ଷା ଅଧିକାରୀମାନଙ୍କୁ ସଜାଗ ରହିବା ଏବଂ କଡ଼ା ନଜର ରଖିବାକୁ କହିଥିଲେ। ଗୃହମନ୍ତ୍ରୀ ‘ଅପରେସନ ସିନ୍ଦୂର’କୁ ପହଲଗାମରେ ନିର୍ଦ୍ଦୋଷ ଲୋକଙ୍କ ନିର୍ମମ ହତ୍ୟାର ଭାରତର ପ୍ରତିକ୍ରିୟା ଭାବରେ ବର୍ଣ୍ଣନା କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଭାରତ ଏବଂ ଏହାର ଲୋକଙ୍କ ଉପରେ ଯେକୌଣସି ଆକ୍ରମଣର ଉଚିତ ଜବାବ ଦେବାକୁ ସଂକଳ୍ପବଦ୍ଧ ଏବଂ ଭାରତ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଜମ୍ମୁ-କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସେନା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା।