ଆମ ବସ୍ ଚଳାଇବେ ମହିଳା ଡ୍ରାଇଭର: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର

ଭୁବନେଶ୍ବର: ଆମ ବସ୍ ଷ୍ଟିଅରିଂ ଧରିବେ ମହିଳା ଡ୍ରାଇଭର । ମହିଳା ଚଳାଇବେ ଆମ୍ ବସ୍ । ଏଥିପାଇଁ ଆସନ୍ତା ଜାନୁଆରୀ ୩୧ ତାରିଖରେ କ୍ରୁଟ୍ ପକ୍ଷରୁ ୨୦ ଜଣ ମହିଳା ଇ-ବସ୍ ଚାଳନା ତାଲିମ ନିମନ୍ତେ ପୁନେ ଯାତ୍ରା କରିବେ। ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ଵ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ଭାରତର ପ୍ରଥମ ସରକାରୀ ଜନ ପରିବହନ ସଂସ୍ଥା ଭାବେ କ୍ରୁଟ୍ ଦୁର୍ଘଟଣା ଗ୍ରସ୍ତ ପରିବାରକୁ ତୁରନ୍ତ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରଙ୍କ ଭରଣପୋଷଣ ନିମନ୍ତେ ୪ କୋଟିରୁ ଅଧିକ ଟଙ୍କାର ବୀମା ରାଶି ପ୍ରଦାନ କରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଖୁବଶୀଘ୍ର କ୍ରୁଟ ଡିପୋ ପରିସରରେ ନିଜର ତାଲିମ୍ ଅନୁଷ୍ଠାନ ନିର୍ମାଣ ହେବ। ଯେଉଁଠି ବ୍ୟବହାରିକ, ଆଚରଣଗତ ପ୍ରଶିକ୍ଷଣ ସହିତ ଟ୍ରାଫିକ ନୀୟମ ଓ ଲେନ୍ ଡ୍ରାଇଭିଂ ଭଳି ଅନେଗୁଡ଼ିଏ ଦିଗରେ ଅଧିକ ଗୁରୁତ୍ଵ ପ୍ରଦାନ କରାଯିବ।



