ଘାଟି ତଳକୁ ଖସିଲା ଓଏସଆରଟିସି ବସ୍‌:ଜଣେ ମୃତ ଓ ୧୫ରୁ ଅଧିକ ଆହତ

ଭୁବନେଶ୍ବର: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସୁଙ୍କି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେବା ଫଳରେ ଏକ ଓଏସଆରଟିସି (OSRTC) ଭଲବୋ ବସ୍‌ ପ୍ରାୟ ୩୦ ଫୁଟ ତଳକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବସଟି ଭବାନୀପାଟଣାରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା। ଭୋର ପ୍ରାୟ ୩ଟା ସମୟରେ ସୁଙ୍କି ଘାଟିର ୨ ନମ୍ବର ବୁଲାଣି ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ବସକୁ ଧକ୍କା ଦେଇଥିଲା। ଫଳରେ ଚାଳକ ନିୟନ୍ତ୍ରଣ ହରାଇବାରୁ ବସଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଘାଟିର ଗଭୀରତା ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟ ବେଶ୍ ଚ୍ୟାଲେଞ୍ଜିଂ ରହିଥିଲା। ଘଟଣାସ୍ଥଳରେ ଜୟପୁର ସହକାରୀ ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ପଟ୍ଟାଙ୍ଗି, ସେମିଲିଗୁଡ଼ା ଓ ଜୟପୁର ଅଗ୍ନିଶମ ବାହିନୀ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିଥିଲେ। ଦୁର୍ଘଟଣାଗ୍ରସ୍ତ ବସରୁ ଆହତମାନଙ୍କୁ ବାହାର କରାଯାଇ ଚିକିତ୍ସା ପାଇଁ ପଟ୍ଟାଙ୍ଗି ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button