ଓଡ଼ିଶା ଆସିବେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ରାୟପୁର: ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଛତିଶଗଡ଼ ରାଜଭବନରୁ ପ୍ରକାଶିତ ଏକ ପ୍ରେସବିବୃତିରୁ ଜଣାପଡ଼ିଛି । ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଓଡ଼ିଶା ଗସ୍ତର ପ୍ରଥମ ଦିନ ୧୪ ତାରିଖ ପୂର୍ବାହ୍ନରେ ରାୟପୁର ବିମାନବନ୍ଦରୁ ବାହାରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ନିଜସ୍ୱ ବାସଭବନକୁ ଯିବେ ଏବଂ ସଂଧ୍ୟାରେ କଟକ ଏସ.ସି.ବି. ମେଡିକାଲ କଲେଜ ଅଭିମୁଖେ ଯାତ୍ରା କରିବେ। ବାଲେଶ୍ୱର ରେଳ ଦୁର୍ଘଟଣାରେ ସେଠାରେ ଚିକିତ୍ସିତ ହେଉଥିବା ପିଡ଼ିତ ବ୍ୟକ୍ତିମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଡାକ୍ତରଙ୍କ ଠାରୁ ପଚାରି ବୁଝିବେ। ୧୫ ତାରିଖ ପୂର୍ବାହ୍ନରେ ରାଜ୍ୟପାଳ ମହାପ୍ରଭୂ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଉକ୍ତଦିନ ସଂଧ୍ୟାରେ ବିଶ୍ୱମାନବିକ ଅଧିକାର ସୁରକ୍ଷା ସଂସ୍ଥା ଆନୁକୁଲ୍ୟରେ ଅନୁଷ୍ଠିତ ‘ମାଟି, ମା’ ଓ ମଣିଷର ସୁରକ୍ଷା ପାଇଁ ମାନବିକ ଅଧିକାର’ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ୧୬ ତାରିଖ ପୂର୍ବାହ୍ନରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିବେ ଏବଂ ଅପରାହ୍ନରେ ଓଡ଼ିଶାର ଦିଗ୍‌ବିଜୟୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଉପରେ ଡାକ୍ତର ସୋମନାଥ ପ୍ରସାଦ ଜେନାଙ୍କ ଦ୍ୱାରା ଲିଖିତ ଉପନ୍ୟାସ “ଦିଗ୍‌ବିଜୟୀ ଗଜପତି” ପୁସ୍ତକ ଉନ୍ମୋଚନ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଜସ୍ୱ ଅଭିବ୍ୟକ୍ତି ରଖିବେ ଏବଂ ଉକ୍ତ ପୁସ୍ତକ ଉନ୍ମୋଚନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦରଣୀୟା ମା’ ହୀରାବେନ୍ ମୋଦିଙ୍କ ୧୦୦ତମ ଜନ୍ମତ୍ସୋବରେ ଉଦ୍‌ଘାଟକ ଭାବେ ଯୋଗ ଦେବା ପାଇଁ ସେ ୧୭ ତାରିଖ ଅପରାହ୍ନରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ୧୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ୍ ମୋଦିଙ୍କର ୧୦୦ତମ ଜନ୍ମତ୍ସୋବ ଅବସରରେ ଆଇ.ଆଇ.ସି. ନୂଆଦିଲ୍ଲୀ ଠାରେ ସି.ଏନ.ଏମ.ଏସ. (ସେଂଟର ଫର ନରେନ୍ଦ୍ର ମୋଦି ଷ୍ଟଡି) ଆନୁକୁଲ୍ୟରେ ଅନୁଷ୍ଠିତ “ଏକ ମା’ର ପ୍ରଭାବ: ମୋଦିଙ୍କ ମା’ କିପରି ମୋଦିଙ୍କ ନେତୃତ୍ୱ ଓ ଦୃଷ୍ଟିକୋଣକୁ ତିଆରି କରିଥିଲେ” କର୍ମଶାଳାରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ଉପରେ ପ୍ରକାଶ ପାଇବାକୁ ଥିବା ପୁସ୍ତକ “ମା’ ଓ“ସ୍ମରଣୀକା” ଉଭୟ ଉନ୍ମୋଚନ କରି ଉକ୍ତ ସଭାକୁ ଉଧ୍‌ବୋଧନ ଦେବେ। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ୧୯ ତାରିଖ ସଂଧ୍ୟାରେ ରାୟପୁର ରାଜଭବନ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି।

Related Articles

Leave a Reply

Your email address will not be published.

Back to top button