ଶେଷ ହେଲା ‘ଅପରେସନ୍ କାବେରୀ’, ସୁଦାନରୁ ଭାରତ ଫେରିଲେ ୩୮୬୨ ଭାରତୀୟ

ନୂଆଦିଲ୍ଲୀ: ଗୃହଯୁଦ୍ଧରେ ପ୍ରଭାବିତ ସୁଦାନରେ ଫସି ରହିଥିବା ସାଧାରଣ ନାଗରିକଙ୍କୁ ସ୍ଵଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ‘ଅପରେସନ୍ କାବେରୀ’ ଅଭିଯାନ ଆରମ୍ଭ କରିଥିଲେ। ଯାହା ଶୁକ୍ରବାର ଦିନ ଶେଷ ହୋଇଛି। ଭାରତୀୟ ବାୟୁସେନାର ଶେଷ ବିମାନ ୪୭ ଜଣ ଯାତ୍ରୀଙ୍କ ସହ ଘରକୁ ଫେରିଛି। ସେନା ଏବଂ ପାରାମିଲିଟାରୀ ଫୋର୍ସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଭାରତ ଏହାର ନାଗରିକମାନଙ୍କୁ ସୁଦାନରୁ ସ୍ଥାନାନ୍ତର କରିବା ପାଇଁ ଏପ୍ରିଲ ୨୪ ତାରିଖରେ ଅପରେସନ୍ କାବେରୀ ଆରମ୍ଭ କରିଥିଲା। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଛନ୍ତି ଯେ, ଭାରତୀୟ ବାୟୁସେନା ସି୧୩୦ ବିମାନ ଶୁକ୍ରବାର ଦିନ ପହଞ୍ଚିବା ପରେ ‘ଅପରେସନ୍ କାବେରୀ’ ମାଧ୍ୟମରେ ୩,୮୬୨ ଜଣଙ୍କୁ ସୁଦାନରୁ ସ୍ଥାନାନ୍ତର କରାଯାଇଛି। ସେ କହିଛନ୍ତି ଯେ ଭାରତୀୟ ବାୟୁସେନା ୧୭ ଟି ଉଡାଣ ଚଳାଚଳ କରିଥିଲା ​​ଏବଂ ଭାରତୀୟ ନୌସେନା ପାଞ୍ଚ ଥର ଭାରତୀୟମାନଙ୍କୁ ପୋର୍ଟ ସୁଦାନରୁ ସାଉଦି ଆରବର ଜେଦ୍ଦାକୁ ନେଇଥିଲା। ଜୟଶଙ୍କର କହିଛନ୍ତି ଯେ, ସୁଦାନ ସୀମାବର୍ତ୍ତୀ ଦେଶ ଦେଇ ୮୬ ଜଣ ଭାରତୀୟଙ୍କୁ ଅଣାଯାଇଥିଲା। ସୁଦାନରୁ ଆଣିଥିବା ଭାରତୀୟମାନଙ୍କୁ ଅତିଥି କରିବା ଏବଂ ଥଇଥାନ ପ୍ରକ୍ରିୟାରେ ସାହାଯ୍ୟ କରିଥିବାରୁ ସେ ସାଉଦି ଆରବକୁ ଧନ୍ୟବାଦ ଜଣାଇଛନ୍ତି। ସେ ଚାଡ, ଇଜିପ୍ଟ, ଫ୍ରାନ୍ସ, ଦକ୍ଷିଣ ସୁଦାନ, ସଂଯୁକ୍ତ ଆରବ ଏମିରେଟ୍ସ, ବ୍ରିଟେନ, ଆମେରିକା ଏବଂ ମିଳିତ ଜାତିସଂଘକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Related Articles

Leave a Reply

Your email address will not be published.

Back to top button