ଛେଳିକୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ ଆଘାତରେ ଜଣେ ମୃତ

କେନ୍ଦ୍ରାପଡା : ଶ୍ରେଷ୍ଠ ପ୍ରାଣୀ ମଣିଷ ପଶୁଙ୍କୁ ବଂଚେଇବାର ନଜୀର ଅନେକ ସମୟରେ ଦେଖାଯାଇଛି | ମଣିଷ-ଗୃହପାଳିତ ପଶୁଙ୍କ ଭିତରେ ସମ୍ପର୍କ ଅତି ନିବିଡ | ଆଉ ସେଇ ନିବିଡ଼ତା ଭିତରେ ଜଣଙ୍କୁ ବିପଦ ଆସିଲେ ଆର ଜଣ ଲମ୍ଫ ପ୍ରଦାନ କରିଥାଏ | ଠିକ ସେଇଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ରାଜକନିକା ବ୍ଲକ ବରାଡ଼ିଆ ପଞ୍ଚାୟତ ଉପଳାଉ ଗ୍ରାମରେ |

ବିଦ୍ୟୁତ ଆଘାତରେ ଛଟପଟ ହେଉଥିବା ଏକ ଛେଳିକୁ ବଞ୍ଚାଇବାକୁ ଯାଇ ରାଜକନିକା ବ୍ଲକ ବରାଡ଼ିଆ ପଞ୍ଚାୟତ ଉପଳାଉ ଗ୍ରାମର ଜଣେ ବ୍ୟକ୍ତିଙ୍କର ଗତକାଲି ମୃତ୍ୟୁ ହୋଇଯାଇଛି | ବ୍ୟକ୍ତି ଜଣକ ହେଲେ ଗଦାଧର ନାୟକ (୫୭) | ସେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ | ଉକ୍ତ ବିଦ୍ୟୁତ ତାର ଜୟନଗର ଗ୍ରାମ ପଞ୍ଚାୟତର ରାଉଳିଆ ଠାରୁ ଉପୁଳାଇ ପର୍ଯ୍ୟନ୍ତ ଆସିଛି ଓ ସେହି ଲାଇନ୍ ତାର ସଂସ୍ପର୍ଶରେ ଆସି ଚାର୍ଜ ହୋଇଯାଇଥିଲା | ଉକ୍ତ ବିଦ୍ୟୁତ୍ ଖୁଣ୍ଟଟିରେ ଛେଳିର ମୃତ୍ୟୁ ହୋଇଯାଇଛି ଏବଂ ଛେଳି କୁ ଉଧାର କରିବା ପାଇଁ ଆସି ଗଦାଧର ନାୟକଙ୍କର ମୃତ୍ୟୁ ହୋଇଥିଲା | ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଆଣି ଥିଲେ ଏବଂ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ | ଗଦାଧରଙ୍କ ମୃତ୍ୟୁରେ ସେ ଅଂଚଳରେ ଶୋକର ଛାୟା ଖେଳିଯାଇଛି |

 

ଏହି ଖବର ପାଇ କନିକା ତହସିଲଦାର ପ୍ରେମାନନ୍ଦ ବେହେରା ଓ ରାଜକନିକା ଥାନାର ନୁତନ ଆଇଆଇସି ଶ୍ରୀଯୁକ୍ତ ଉମାକାନ୍ତ ନାୟକ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ପରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି | କେନ୍ଦ୍ରାପଡା ଜିଲ୍ଲାର ନୂତନ ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ ରାଜ୍ୟର ରେଡକ୍ରସ ଫଣ୍ଡରୁ ତୁରନ୍ତ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି |
ବିଦ୍ୟୁତ୍ ବିଭାଗ ସମ୍ପୃକ୍ତ ପରିବାରକୁ ତୁରନ୍ତ ସରକାରୀ ସୁବିଧା ଯୋଗାଇ ଦେବା ସହ ପରିବାରରୁ ଜଣଙ୍କୁ ଚାକିରି ଦେବା ପାଇଁ ପ୍ରଶାସନକୁ ଦାବି କରିଛନ୍ତି ତାଙ୍କ ପରିବାର ଓ ଅଂଚଳବାସୀ |

ଆଜି ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା ମୃତ ଗଦାଧରଙ୍କ ପରିବାରବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେଇଛନ୍ତି ଏବଂ ସେମାନଙ୍କ ଏଭଳି ଦୁଃଖଦ ଅବସ୍ଥାରେ ପ୍ରଶାସନକୁ ସହଯୋଗ ପାଇଁ ନିବେଦନ କରିଛନ୍ତି |

ଏକମାତ୍ର ରୋଜଗାରିଆ ସ୍ୱାମୀ ଚାଲିଯିବା ପରେ କେମିତି ଚଳିବେ ମୃତ ଗଦାଧରଙ୍କ ପରିବାର ? ତିନି ଝିଅଓ ଦୁଇ ପୁଅକୁ କିଭଳି ମଣିଷ କରିବେ ସେ କଥା ଭାଳି ହେଉଛନ୍ତି ମୃତକଙ୍କ ପତ୍ନୀ ବୋଇତି ନାୟକ | କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଏବଂ ରାଜକନିକା ବିଦ୍ୟୁତ୍ ବିଭାଗ ଏହି ପରିବାରର ଦୃଷ୍ଟି ଆକର୍ଷଣ କରିବାକୁ ରାଜକନିକା ଅଂଚଳବାସୀ ଅନୁରୋଧ କରିଛନ୍ତି |

Related Articles

Leave a Reply

Your email address will not be published.

Back to top button