୩ ଅର୍ଥନୀତିଜ୍ଞଙ୍କୁ ନୋବେଲ୍

ନୂଆଦିଲ୍ଲୀ: ୨୦୨୫ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ୍ ସମ୍ମାନ ଘୋଷଣା କରାଯାଇଛି। ରୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନସେସ୍ ପକ୍ଷରୁ ପ୍ରଖ୍ୟାତ ବୈଜ୍ଞାନିକ ଆଲଫ୍ରେଡ୍ ବର୍ଣ୍ଣହାର୍ଡ ନୋବେଲ୍ଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ଏହି ସମ୍ମାନର ଅନ୍ତିମ ବର୍ଗ ଅର୍ଥାତ୍ ଅର୍ଥନୀତି ପାଇଁ ଚଳିତ ବର୍ଷ ୩ ବିଶିଷ୍ଟ ବୈଜ୍ଞାନିକ ଜୋଏଲ୍ ମୋକିର, ଫିଲିପେ ଆଘିଅନ୍ ଏବଂ ପିଟର୍ ହାୱିଟ୍ଙ୍କୁ ମନୋନୀତ କରାଯାଇଛି। ଗତ କିଛି ଦିନ ମଧ୍ୟରେ ମେଡିସିନ୍, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ ଏବଂ ଶାନ୍ତିରେ ୨୦୨୫ ନୋବେଲ ପୁରସ୍କାର ପାଇଁ ନାମ ଘୋଷଣା ହୋଇସାରିଥିବା ବେଳେ ସୋମବାର ଅର୍ଥନୀତି ପାଇଁ ନାମ ଘୋଷଣା କରାଯାଇଛି। ଆସନ୍ତା ଡିସେମ୍ବର ୧୦ ତାରିଖ ଅର୍ଥାତ୍, ନୋବେଲଙ୍କ ମୃତ୍ୟୁ ବାର୍ଷିକୀରେ ଅନ୍ୟାନ୍ୟ ପୁରସ୍କାର ସହିତ ନୋବେଲ୍ ବିଜେତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।ନୋବେଲ୍ କମିଟି ବିବୃତ୍ତି ଅନୁଯାୟୀ, ସେମାନଙ୍କୁ “ଉତ୍ପାଦନ-ଚାଳିତ ଅର୍ଥନୈତିକ ଅଭିବୃଦ୍ଧି ବ୍ୟାଖ୍ୟା କରିବା ପାଇଁ’ ସମ୍ମାନିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ପୁରସ୍କାର ରାଶିକୁ ୩ ବୈଜ୍ଞାନିକଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରାଯିବ ନାହିଁ ବରଂ ପୁରସ୍କାର ରାଶିର ୫୦% କେବଳ ମୋକିରଙ୍କୁ ତାଙ୍କ “ପ୍ରଯୁକ୍ତିବିଦ୍ୟା ପ୍ରଗତି ମାଧ୍ୟମରେ ନିରନ୍ତର ଅଭିବୃଦ୍ଧିର ପୂର୍ବାବଶ୍ୟକତା ଚିହ୍ନଟ କରିବା ପାଇଁ’ ପ୍ରଦାନ କରାଯିବ ଏବଂ ବାକି ୫୦% ପୁରସ୍କାର ରାଶିକୁ ଆଘିଅନ୍ ଏବଂ ହାୱିଟ୍ଙ୍କ ମଧ୍ୟରେ ସମାନ ଭାବେ (୨୫% ଲେଖାଏ) ବଣ୍ଟନ କରାଯିବ। ଆଘିଅନ୍ ଏବଂ ହାୱିଟ୍ଙ୍କୁ “ସୃଜନଶୀଳ ବିନାଶ ମାଧ୍ୟମରେ ନିରନ୍ତର ଅଭିବୃଦ୍ଧିର ସିଦ୍ଧାନ୍ତ ପାଇଁ’ ମିଳିତ ଭାବେ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି କମିଟି ଦର୍ଶାଇଛି। ଏହି ତିନି ଅର୍ଥନୀତିଜ୍ଞ ଉଦ୍ଭାବନ ଭିତ୍ତିକ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଉଲ୍ଲେଖନୀୟ ଗବେଷଣା କରିଛନ୍ତି ବୋଲି ରୟାଲ ସ୍ୱିଡିସ ଏକାଡେମୀ ଅଫ ସାଇନସେସ୍ ପକ୍ଷରୁ ଘୋଷଣା କରାଯାଇଛି।