ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ନବମ ପାଳି: ଆଠଟି ପାଳିରେ ୮୪% ମାମଲାର ସମାଧାନ

ଭୁବନେଶ୍ୱର : ଲୋକଙ୍କ ସରକାର ଲୋକଙ୍କ ସହିତ ଅଛନ୍ତି। ସେମାନଙ୍କ ସମସ୍ୟାର ତ୍ୱରିତ୍ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି। ଅଭିଯୋଗ ପ୍ରକୋଷ୍ଠରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଠଟି ପାଳିରେ ୮୪% ମାମଲାର ସମାଧାନ ହୋଇଛି। ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ନବମ ପାଳିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍କାଳ ପଦକ୍ଷେପ ନେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଭିଯୋଗ ପ୍ରକୋଷ୍ଠ ଜରିଆରେ ଆମ ସରକାର ସବୁ ବର୍ଗର ଲୋକଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ବିଶେଷକରି ଭିନ୍ନକ୍ଷମ, ବରିଷ୍ଠ ଓ ଜରୁରୀ ସେବା ଆବଶ୍ୟକ କରୁଥିବା ବ୍ୟକ୍ତିବିଶେଷଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଦୁଃଖ ଓ ସମସ୍ୟାରେ ଜର୍ଜରିତ ବ୍ୟକ୍ତିମାନେ ସେମାନଙ୍କ ସମସ୍ୟା ଓ ଅଭିଯୋଗ ନେଇ ଏଠାକୁ ଆସୁଛନ୍ତି। ସମସ୍ତଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନିଆଯାଇ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ବିଭାଗ ଓ କର୍ତ୍ତୃପକ୍ଷଙ୍କ ନିକଟକୁ ଏହାର ସମାଧାନ ପାଇଁ ଅଭିଯୋଗପତ୍ର ପ୍ରେରଣ କରାଯାଉଛି। ଗତବର୍ଷ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଅଷ୍ଟମ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୮୭୩୭ଟି ଅଭିଯୋଗ ମଧ୍ୟରୁ ୭୩୩୧ ଅଭିଯୋଗର ସମାଧାନ କରାଯାଇଛି। ଯାହା ଶତକଡ଼ା ୮୪ ପ୍ରତିଶତ ଅଟେ। ବକେୟା ଅଭିଯୋଗଗୁଡ଼ିକ ପ୍ରୋସେସ୍‌ରେ ରହିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ଏବଂ ଅନ୍ୟ ବିଭାଗଗୁଡ଼ିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅଭିଯୋଗ ପ୍ରକୋଷ୍ଠରେ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର ଅଭିଯାନ। ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ୍‌ରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉଛି। ଏହି ପଦ୍ଧତିରେ ଚିକିତ୍ସା ଖର୍ଚ୍ଚ ପାଇଁ ପୁରୀ ଜିଲ୍ଲାର ନିମାପଡ଼ାରୁ ଆସିଥିବା ପକ୍ଷାଘାତ ଆକ୍ରାନ୍ତ ହେମନ୍ତ ସାହୁଙ୍କୁ ୧ ଲକ୍ଷ ଟଙ୍କା, ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରୁ ଆସିଥିବା ପକ୍ଷାଘାତ ଆକ୍ରାନ୍ତ ବିଚିତ୍ର ପାଇକରାୟଙ୍କୁ ୧ ଲକ୍ଷ ଟଙ୍କା, ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଆସିଥିବା ବୋନ୍ ମ୍ୟାରୋ କ୍ୟାନସର୍ ପୀଡ଼ିତା ହାଜିରା ବିବିଙ୍କୁ ୩ ଲକ୍ଷ ଟଙ୍କା ଏବଂ କନ୍ଧମାଳ ଜିଲ୍ଲା ଟିକାବାଲିରୁ ଆସିଥିବା କ୍ୟାନସର୍ ପୀଡ଼ିତା ଇନ୍ଦୁ ବେହେରାଙ୍କୁ ୧ଲକ୍ଷ ଟଙ୍କା ସହିତ ଗଜପତି ଜିଲ୍ଲାରୁ ପୁଅର ଚିକିତ୍ସାରେ ସର୍ବସ୍ୱାନ୍ତ ହୋଇ ଆସିଥିବା ରଶ୍ମିତା ନାୟକଙ୍କୁ ୧ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ତୁରନ୍ତ ମଞ୍ଜୁର କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button