ନିକୋବର ଛୁଇଁଲା ମୌସୁମୀ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ନିକୋବର ଦ୍ୱୀପପୁଞ୍ଜ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡମାନ ସାଗର ସ୍ପର୍ଶ କରିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏହି ସୂଚନା ଦେଇଛି । ପାଗ ଅନୁକୂଳ ଥିବାରୁ ଆସନ୍ତା ୩ରୁ ୪ ଦିନରେ ଏହା ଅଧିକ ଅଞ୍ଚଳକୁ ଅଗ୍ରସର ହେବ । ତେବେ ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିବାର ସ୍ୱାଭାବିକ ସମୟ ଜୁନ୍‌ ୧୦ରୁ ୧୨ ତାରିଖ । ଏଥର ରାଜ୍ୟରେ ସପ୍ତାହେ ବିଳମ୍ବରେ ମୌସୁମୀ ପହଞ୍ଚିବ ବୋଲି ପୂର୍ବାନୁମାନ  କରାଯାଇଛି।ଏଥର ମୌସୁମୀ ବର୍ଷା ମଧ୍ୟ ଭାଗରେ( ଜୁଲାଇ ଓ ଅଗଷ୍ଟରେ) ସ୍ୱାଭାବିକଠାରୁ ଅଧିକ ହେବାର ସମ୍ଭାବନା ଅଛି । କିନ୍ତୁ ଶେଷ ଭାଗକୁ( ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫) ନିଅଣ୍ଟିଆ ବର୍ଷା ହୋଇପାରେ । ଇଏନଏସ୍‌ଓ ଏବେ ନିଉଟ୍ରାଲରେ ରହିଛି । ଗତ ୧୦ ତାରିଖରେ ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ଏଲ୍‌ନିନୋ ଆରମ୍ଭ ନ ହୋଇ ପ୍ରାକ୍‌ ଅବସ୍ଥାରେ ଥିଲା । ବିଭିନ୍ନ ମଡେଲ ଅନୁସାରେ ଜୁଲାଇ ସୁଦ୍ଧା ଏହା ଏଲ୍‌ନିନୋ ଅବସ୍ଥାରେ ପହଞ୍ଚିବ । ଫଳରେ ପଶ୍ଚିମା ପବନ ବହିବ । ଇଣ୍ଡୋନେସିଆ ଓ ମାଲେସିଆ ଭଳି ସାମୁଦ୍ରିକ ଜଳବାୟୁ ଅଞ୍ଚଳ ସହ ଦକ୍ଷିଣ ଏସିଆର ଅନେକ ସ୍ଥାନରେ ନିଅଣ୍ଟିଆ ବର୍ଷା ହୋଇପାରେ । କେରଳରେ ଜୁନ୍‌ ପ୍ରଥମ ସପ୍ତାହରୁ ମୌସୁମୀ ବର୍ଷା ଆରମ୍ଭ ହେବ । ମଧ୍ୟ ଓ ଆରବସାଗରୀୟ ଶାଖା ଦୁର୍ବଳ ରହିବ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଓଡ଼ିଶା ଏବଂ ପୂର୍ବ ଭାରତରେ ବର୍ଷା ହେବ । ଜୁନ୍‌ ମାସରେ ଓଡ଼ିଶାରେ ମରୁଡ଼ି ପ୍ରବଣ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ହୋଇପାରେ । ଜୁଲାଇ ଓ ଅଗଷ୍ଟ ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ୪୦% । ମୌସୁମୀ ଶେଷ ଆଡ଼କୁ ରାଜ୍ୟରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇପାରେ ।

Related Articles

Leave a Reply

Your email address will not be published.

Back to top button