ଓଡିଶାକୁ ଆସିଲା ୩୮୯୮ କୋଟି ଟଙ୍କାର ନୂତନ ପୁଞ୍ଜି ନିବେଶ, ରାଜ୍ୟ ସରକାର ଦେଲେ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର ୧୩୬ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲୁଏ) ବୈଠକରେ ୩୮୯୮.୫୪ କୋଟି ଟଙ୍କାର ୧୯ଟି ନିବେଶ ପ୍ରକଳ୍ପକୁ ଅନୁମୋଦନ କରି ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଜାରି ରଖିଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନୁମୋଦନ ହୋଇଥିବା ପ୍ରସ୍ତାବଗୁଡ଼ିକରେ ରାଜ୍ୟରେ ୭,୪୬୪ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହି ମଂଜୁରୀପ୍ରାପ୍ତ ପ୍ରସ୍ତାବଗୁଡ଼ିକ ଇସ୍ପାତ, ଲୌହ ଓ ଫେରୋ ଆଲଏଜ୍, ଶିଳ୍ପ-ଗ୍ୟାସ୍, ଲଜିଷ୍ଟିକ୍ସ, ଖାଦ୍ୟ ଓ ପାନୀୟ, କୃଷି ପ୍ରକ୍ରିୟାକରଣ, ପର୍ଯ୍ୟଟନ ଓ ଆତିଥେୟତା, ରାସାୟନିକ ପଦାର୍ଥ, ଧାତୁ, ପୋଷାକ ଓ ଟେକ୍ସଟାଇଲ୍ ଭଳି ବିଭିନ୍ନ ପ୍ରଭାବୀ କ୍ଷେତ୍ରରେ ଅନ୍ତର୍ଭୁକ୍ତ । ଏହି ଅନୁମୋଦନ ଭାରତର ଅନ୍ୟତମ ଆକର୍ଷଣୀୟ ନିବେଶ ସ୍ଥଳ ଭାବେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଇଛି। ଏହି ପ୍ରସ୍ତାବଗୁଡ଼ିକ ଅନୁଗୋଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ୧୧ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଓଡ଼ିଶାର ଇସ୍ପାତ, ଲୌହ ଓ ଫେରୋ ଆଲଏଜ୍ କ୍ଷେତ୍ରରେ ରାଜ୍ୟର ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ପ୍ରସ୍ତାବ ରହିଛି । ଟାଟା ଷ୍ଟିଲ ଏହାର ଅଶୋଧିତ ଇସ୍ପାତ କ୍ଷମତାକୁ ପ୍ରସ୍ତାବିତ ୬. ୫ ଏମଟିପିଏରୁ ୭. ୧ ଏମଟିପିଏକୁ ବୃଦ୍ଧି କରିବାକୁ ଯାଉଛି ଏବଂ ଅତିରିକ୍ତ ୭୦୦ କୋଟି ଟଙ୍କା ବିନିଯୋଗ କରିବ ଯଦ୍ୱାରା ୩୭୫ ନୂତନ ନିଯୁକ୍ତି ସୃଷ୍ଟି କରିବ। କେନ୍ଦୁଝରରେ ଶ୍ରୀ ମେଟାଲିକ୍ସ ଲିମିଟେଡ୍ ଏହାର ସମନ୍ୱିତ ଇସ୍ପାତ କାରଖାନାର ସମ୍ପ୍ରସାରଣ ପାଇଁ ୮୮୫ କୋଟି ଟଙ୍କା ବିନିଯୋଗ କରିବ ଏବଂ ୯୫୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଲାଲ ବାବା ସିମଲେସ୍ ଟ୍ୟୁବସ୍ ପ୍ରାଇଭେଟ୍ ଲିମିଟେଡ୍ କଟକରେ ୨୦୦ କୋଟି ଟଙ୍କାର ଟ୍ୟୁବ୍ ଉତ୍ପାଦନ କାରଖାନା ସ୍ଥାପନ କରି ୫୦୦ ନିଯୁକ୍ତି ସୃଷ୍ଟି କରିବାକୁ ଯୋଜନା ରଖିଥିବା ବେଳେ ସୁର୍ଲନ୍ ଇଣ୍ଡିଆ ଲିମିଟେଡ୍ ସୁନ୍ଦରଗଡ଼ରେ ୫୫ କୋଟି ଟଙ୍କାର ରେଳବାଇ ଯନ୍ତ୍ରାଂଶ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ଏକ ହଜାର ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି । ଏହି ପ୍ରକଳ୍ପଗୁଡ଼ିକ ଧାତୁ ଏବଂ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ପ୍ରତିଷ୍ଠାକୁ ଆହୁରି ସୁଦୃଢ଼ କରିବ।