ଏନସିଇଆରଟି ଯୁଗ୍ମ ନିର୍ଦ୍ଦେଶକଙ୍କ ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପରିଦର୍ଶନ

ଭୁବନେଶ୍ବର: ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି) ର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରଓ୍ବାଲ ଅକ୍ଟୋବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ(ଆରଆଇଇ) ପରିଦର୍ଶନ କରୁଛନ୍ତି। ଅକ୍ଟୋବର ୧୩ ତାରିଖରେ ସେ ଦୁଇଟି କାର୍ଯ୍ୟକ୍ରମର ଉଦଘାଟନ କରିବେ। ପ୍ରଥମଟି ହେଉଛି ଓଡ଼ିଶାର ପିଏମଶ୍ରୀ ସ୍କୁଲଗୁଡ଼ିକର ଅଧ୍ୟକ୍ଷ/ପ୍ରଧାନ ଶିକ୍ଷକମାନଙ୍କ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ଓ ଦ୍ବିତୀୟଟି ହେଉଛି ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟାନ୍ବୟନ ଉପରେ ପୂର୍ବାଞ୍ଚଳର ଶିକ୍ଷକ ପ୍ରଶିକ୍ଷକମାନଙ୍କ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ। ଏହି ସରକାରୀ ଗସ୍ତ ସମୟରେ ୧୧ ଅକ୍ଟୋବରରେ ପ୍ରତିଷ୍ଠାନର ପ୍ରାଧ୍ୟାପକମାନଙ୍କ ସହ ସେ ଏକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସେ ପିଏମଶ୍ରୀ ଡିଏମ ସ୍କୁଲର ଶିକ୍ଷକମାନଙ୍କ ସହ ମତବିନିମୟ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ଏ ଅଂଚଳର ସ୍କୁଲଗୁଡ଼ିକ ଯେପରି ସୁଦୃଢ ହୋଇପାରିବେ ଓ ଉତ୍କର୍ଷତା ହାସଲ କରିପାରିବେ ସେ ଦିଗରେ ଦିଗରେ ପିଏମଶ୍ରୀ ଡିଏମ ସ୍କୁଲ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆବଶ୍ୟକ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଫେସର ମାନସୀ ଗୋସ୍ବାମୀ ସ୍ବାଗତ ଭାଷଣ ଦେବା ସହ ଯୁଗ୍ମ ନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।