“ଜାତୀୟ ଜଳ ସୁରକ୍ଷା ପଦକ୍ଷେପ ଭବିଷ୍ୟତ ପିଢ଼ି, ପଶୁପାଳନ, ବନ୍ୟଜନ୍ତୁ, ପରିବେଶ ଏବଂ କୃଷିକୁ ଲାଭାନ୍ୱିତ କରିବ”: ଶିବରାଜ ସିଂହ ଚୌହାନ

ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମୀଣ ବିକାଶ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ଚନ୍ଦ୍ରକାନ୍ତ ରଘୁନାଥ ପାଟିଲ, ଆଜି ନୂଆଦିଲ୍ଲୀର କୃଷି ଭବନରେ ମିଳିତ ଭାବେ ‘ଜଳ ସୁରକ୍ଷା ଉପରେ ଜାତୀୟ ପଦକ୍ଷେପ’ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କମଲେଶ ପାଶ୍ୱାନ, ଗ୍ରାମୀଣ ବିକାଶ ସଚିବ ଶ୍ରୀ ଶୈଳେଶ ସିଂହ ଏବଂ ଉଭୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସାରା ଦେଶର ଗ୍ରାମୀଣ ବ୍ଲକ ପ୍ରତିନିଧିମାନେ ଏବଂ ଜିଲ୍ଲା ମାଜିଷ୍ଟ୍ରେଟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ଉଦବୋଧନ ଦେଇ ଶ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ମନରେଗା ଅଧୀନରେ ଜଳ ସୁରକ୍ଷାକୁ ଜାତୀୟ ପ୍ରାଥମିକତା ଦେଇଛି। ମହାତ୍ମା ଗାନ୍ଧୀ ଏନ୍ଆରଇଜିଏ ଅଧିନିୟମ, ୨୦୦୫ର ଅନୁସୂଚୀରେ ସଂଶୋଧନ କରାଯାଇଛି, ଯାହାଦ୍ୱାରା ଜଳ ସଙ୍କଟଗ୍ରସ୍ତ ଗ୍ରାମୀଣ ବ୍ଲକଗୁଡ଼ିକରେ ଜଳ ସମ୍ବନ୍ଧୀୟ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ। ଏହି ଐତିହାସିକ ପଦକ୍ଷେପ ଦ୍ୱାରା, ଗ୍ରାମାଞ୍ଚଳରେ ଜଳ ସଂରକ୍ଷଣ ଏବଂ ଜଳ ଅମଳ କାର୍ଯ୍ୟକଳାପ ଉପରେ ନିବେଶ ବାଧ୍ୟତାମୂଳକ ହେବ। ପରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଭୂତଳ ଜଳ ସ୍ତର କ୍ରମାଗତ ଭାବରେ ହ୍ରାସ ପାଉଛି ଏବଂ ଜଳ ବିଶ୍ୱର ସବୁଠାରୁ ବଡ ଆହ୍ୱାନରେ ପରିଣତ ହୋଇଛି । ସେ ଉଲ୍ଲେଖ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସମୟରୁ ଜଳ ସଂରକ୍ଷଣ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏହାର ଗୁରୁତ୍ୱକୁ ରେଖାଙ୍କିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ‘କ୍ୟାଚ୍ ଦ ରେନ୍’, ‘ବର୍ଷା ଜଳ ଅମଳ ଏବଂ ‘ ଅମୃତ ସରୋବର’ ନିର୍ମାଣ ଭଳି ଅଭିଯାନ ଜରିଆରେ ଦେଶକୁ ଦିଗଦର୍ଶନ ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button