୩୭ ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ହେବ ରକ୍ଷଣାବେକ୍ଷଣ

ଭୁବନେଶ୍ୱର: ରାଜ୍ୟର ୧୧୧ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧୀନରେ ପ୍ରତିଷ୍ଠା ହୋଇଥିବା ୩୭ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ, ମହାନଗର ନିଗମର କମିଶନର ଓ ପୌରସଂସ୍ଥାର କାର୍ଯ୍ୟନିର୍ବାହୀମାନଙ୍କୁ କୁହାଯାଇଛି। ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୨୦୨୧ ଓ ୨୦୨୨ରେ ରାଜ୍ୟର ୧୧୧ଟି ପୌରସଂସ୍ଥାରେ ମୁକ୍ତା ଯୋଜନାରେ ୩୭,୨୪୨ଟି ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ ହୋଇଥିଲା। ‘କ୍ୟାଚ୍‌ ଦି ରେନ୍‌’ ଅଭିଯାନରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ କରାଯିବ। ବର୍ଷାଜଳ ଅମଳ ଜରିଆରେ ଭୂତଳ ଜଳ ରିଚାର୍ଜ ପାଇଁ ଏହି ପ୍ରକଳ୍ପ ବେଶ ଉପଯୋଗୀ ହୋଇଥିବା ବେଳେ ଏହାର ରକ୍ଷଣାବେକ୍ଷଣ ପାଇଁ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଅତି କମ୍‌ରେ ୩୭ହଜାର ପ୍ରକଳ୍ପର ରକ୍ଷଣାବେକ୍ଷଣ କରାଯିବ। ଏହି ରକ୍ଷଣାବେକ୍ଷଣ କାର୍ଯ୍ୟରେ ମିଶନ ଶକ୍ତି ଗୋଷ୍ଠୀ, ବସ୍ତି ବିକାଶ ସଂଗଠନକୁ ନିୟୋଜିତ କରିବାକୁ ମୁକ୍ତାର ରାଜ୍ୟ ନୋଡାଲ ଅଧିକାରୀ ତଥା ସୁଡାର ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ସମସ୍ତ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜନସ୍ବାସ୍ଥ୍ୟ ବିଭାଗ ଓ ଓ୍ବାଟ୍‌କୋ ପକ୍ଷରୁ ମଧ୍ୟ ମିଶନ ଶକ୍ତି ଗୋଷ୍ଠୀକୁ ଏଥିପାଇଁ ନିୟୋଜିତ କରିପାରିବେ ଏବଂ ଏ ସଂକ୍ରାନ୍ତରେ ବିଭାଗ ସହିତ ସମନ୍ବୟ ରକ୍ଷାକରିବେ ବୋଲି କୁହାଯାଇଛି। ପୌରସଂସ୍ଥା, ଜନସ୍ବାସ୍ଥ୍ୟ, ଓ୍ବାଟ୍‌କୋର ଯନ୍ତ୍ରୀଙ୍କ ସମେତ ମୁକ୍ତା ଟିମ୍‌ ଏହି ରକ୍ଷଣାବେକ୍ଷଣ କାର୍ଯ୍ୟର ତଦାରଖ କରିବେ। ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ ମିଶନଶକ୍ତି ଓ ଅନ୍ୟ ସଂସ୍ଥାଗୁଡିକୁ ସେମାନଙ୍କର ପାଉଣା ୭ଦିନ ମଧ୍ୟରେ ପ୍ରଦାନ କରିବାକୁ ଶ୍ରୀ ପଣ୍ଡା କହିଛନ୍ତି । ରକ୍ଷଣାବେକ୍ଷଣ କାର୍ଯ୍ୟ କିଭଳି ହେବ ତାହାର ସମ୍ପୃକ୍ତ ସୂଚନା ସଂଗ୍ରହ ପାଇଁ ଏକ ଫର୍ମାଟ ପ୍ରସ୍ତୁତ ହେବ ଏବଂ କ୍ଷେତ୍ରସ୍ତରରୁ ଏହି ଫର୍ମାଟରେ ତଥ୍ୟ ସଂଗ୍ରହ କରାଯିବ। ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ଅର୍ଥ ପୌରସଂସ୍ଥାକୁ ଯୋଗାଇ ଥିବା ଅର୍ଥ କମିଶନଙ୍କ ଅନୁଦାନ ପାଣ୍ଠିରୁ ଯୋଗାଇ ଦିଆଯିବ।

Related Articles

Leave a Reply

Your email address will not be published.

Back to top button