ଓଡ଼ିଶା ଛାଡ଼ିଲା ମୌସୁମୀ

ଭୁବନେଶ୍ୱର: ସାଧରଣ ଭାବେ ଓଡ଼ିଶାରୁ ଅକ୍ଟୋବର ୧୦-୧୫ ମଧ୍ୟରେ ମୌସୁମୀ ଅପସାରଣ ହୋଇଥାଏ। ଚଳିତବର୍ଷ ରାଜ୍ୟକୁ ମୌସୁମୀ ଯଥେଷ୍ଟ ଆଗୁଆ ଆସିଥିଲେ ମଧ୍ୟ ରାଜ୍ୟରୁ ସ୍ୱାଭାବିକ ସମୟରେ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ଦିନରେ ଉତ୍ତର ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରୁ ମୌସୁମୀ ବିଦାୟ ନେଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଆଦିରୁ ସମ୍ପୂର୍ଣ୍ଣ ଅପସାରଣ ହୋଇଯାଇଥିବା ବେଳେ ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର ଅଧିକାଂଶ ଅଞ୍ଚଳ ଏବଂ ନୂଆପଡ଼ା, ସୋନପୁର, ବରଗଡ଼ ଓ ବାଲେଶ୍ୱରର କିଛି ଅଞ୍ଚଳରୁ ଅପସାରଣ ହୋଇଛି। ମୌସୁମୀ ପ୍ରତ୍ୟାବର୍ତ୍ତନ ଯୋଗୁଁ ଏହି ସବୁ ଅଞ୍ଚଳରେ ଦୁଇଦିନ ହେବ ବର୍ଷା କମିଯାଇଥିବା ବେଳେ ଆଗକୁ ମଧ୍ୟ ଏଠାରେ ଶୁଖିଲା ପାଗ ଜାରି ରହିବାର ସମ୍ଭାବନା ରହିଛି। ଅନ୍ୟପଟେ ୨-୩ ଦିନ ମଧ୍ୟରେ ରାଜ୍ୟର ବାକି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହୋଇଯିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଅନ୍ୟପଟେ ପାଣିପାଗ ବିଭାଗର ତଥ୍ୟକୁ ଦେଖିଲେ ଗଲା ୩ ବର୍ଷ ହେବ ରାଜ୍ୟରୁ ମୌସୁମୀ ୧୩ ଅକ୍ଟୋବରରେ ପ୍ରତ୍ୟାବର୍ତ୍ତନ ହେଉଥିବା ଦେଖାଯାଇଛି। ୧୦ ବର୍ଷ ମଧ୍ୟରେ ୨୦୧୮ରେ ସବୁଠୁ ଆଗୁଆ ଅର୍ଥାତ୍ ମୌସୁମୀ ୫ ଅକ୍ଟୋବରରେ ଓଡ଼ିଶା ଛାଡ଼ିଥିବା ବେଳେ ୨୦୨୦ରେ ସବୁଠୁ ବିଳମ୍ବ ଅର୍ଥାତ୍ ୨୬ ଅକ୍ଟୋବରରେ ମୌସୁମୀ ଓଡ଼ିଶାରୁ ବିଦାୟ ନେଇଥିଲା। ସାଧାରଣ ଭାବେ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବାର ୨-୩ ଦିନ ମଧ୍ୟରେ ସାରା ଓଡ଼ିଶାରୁ ଅପସାରଣ ହୋଇଯାଉଥିବାରୁ ଚଳିତ ବର୍ଷ ମଧ୍ୟ ୧୫ ସୁଦ୍ଧା ମୌସୁମୀ ସାରା ଓଡ଼ିଶାରୁ ବିଦାୟ ନେଇଯିବାର ସମ୍ଭାବନା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button