ବିଧାୟକଙ୍କ ଦରମା କମିବ ! ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ପ୍ରସ୍ତାବ

ଭୁବନେଶ୍ବର: ବିଧାୟକଙ୍କ ଦରମା ଏତେ ପରିମାଣ ବୃଦ୍ଧି ନେଇ ଜନଅସନ୍ତୋଷ ଦେଖାଦେବା ପରେ ବର୍ତ୍ତମାନ ସରକାରଙ୍କ ଚେତା ପଶିଛି। ଏହି ଦରମା ବୃଦ୍ଧିର ପୁନଃବିଚାର କରିବା ପାଇଁ ଆଜି ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏ ନେଇ ବିଧାୟକମାନେ ଦସ୍ତଖତ କରି ଦରମାର ପୁନଃବିଚାର କରିବା ପାଇଁ ଏକ ଲିଖିତ ଅନୁରୋଧ କରିଛନ୍ତି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବିଧାୟକ ଦଳର ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି ବୈଠକ ପରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ବିଧାୟକଙ୍କ ଦରମା ବୃଦ୍ଧି ନେଇ ଏକ ଜନ ଅସନ୍ତୋଷ ସୃଷ୍ଟି ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ବିଜେପି ବିଧାୟକମାନେ ଦରମା ବୃଦ୍ଧିର ପୁନଃବିଚାର କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେମାନେ ଜନତାଙ୍କ ମତକୁ ସମ୍ମାନ ଦେଇ ଏହି ନିଷ୍ପତି ଗ୍ରହଣ କରିଛନ୍ତି। ଫଳରେ ରାଜ୍ୟ ସରକାର ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧିର ପୁନଃବିଚାର କରିପାରନ୍ତି ବୋଲି ସେ କହିଛନ୍ତି। ଚଳିତ ଶୀତ ଅଧିବେସନରେ ରାଜ୍ୟ ସରକାର ବିଧାୟକଙ୍କ ଦରମା ବୃଦ୍ଧି ନେଇ ଏକ ବିଧେୟକ ପାରିତ କରିଛନ୍ତି। ଏଥିରେ ବିଧାୟକଙ୍କ ପୂର୍ବ ଦରମା ଅପେକ୍ଷା ତିନିଗୁଣା ବୃଦ୍ଧି କରାଯାଇଛି। ଫଳରେ ଜଣେ ଜଣେ ବିଧାୟକ ପ୍ରାୟ ତିନି ଲକ୍ଷ ପଚାଶ ହଜାର ଦରମା ପାଇବେ ବୋଲି ଜଣାପଡିଛି। ଏହି ଖବରକୁ ନେଇ ସାରା ରାଜ୍ୟରେ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଯାହାକୁ ସରକାରୀ ଦଳ ବିଧାୟକମାନେ ଗୁରୁତର ସହ ନେଇ ପୁନଃ ବିଚାର ପାଇଁ ନିବେଦନ କରିଛନ୍ତି। ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସାଂଗଠନିକ ସଂପାଦକ ମାନସ ମହାନ୍ତି ସହିତ ସମସ୍ତ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button