ରାଜ୍ୟରେ ବଢୁଛି ପାରଦ: ୧୬ଟି ସ୍ଥାନରେ ୩୨ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରୁ କ୍ରମଶଃ ଉଭେଇଯାଉଛି ଶୀତ । ବଢୁଛି ପାରଦ କମୁଛି ଶୀତ । ଫେବୃଆରୀ ମାସ ପ୍ରଥମ ସପ୍ତାହରୁ ହିଁ ଶୀତ କମିବା ସହିତ ବଢିଲାଣି ତାତି । ରାଜ୍ୟର 16ଟି ସ୍ଥାନରେ 32 ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିପରି ଶୀତର ପ୍ରାଦୁର୍ଭାବ କମ୍ ପଡ଼ିବା ସହିତ ରାଜ୍ୟରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ରାଜ୍ୟରେ ପାଗ ଶୁଖିଲା ରହିଛି । ଆଗାମୀ 7 ଦିନ ପର୍ଯ୍ୟନ୍ତ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ଯୋଗୁଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ବର୍ଷା ହେବାର କୌଣସି ସମ୍ଭାବନା ନାହିଁ ବୋଲି ପାଣିପାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖା ଦେବ ନାହିଁ । ଆସନ୍ତା 2 ଦିନ ମଧ୍ୟରେ ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଓ ଜଗତସିଂହପୁର ଆଦି ଜିଲ୍ଲା ଓ ଆସନ୍ତାକାଲି ପୁରୀ, ଗଞ୍ଜାମ ଓ ଜଗତସିଂହପୁରରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।



