ମେଣ୍ଟ ଚର୍ଚ୍ଚା ହୋଇନି: ତୋମାର

ଭୁବନେଶ୍ୱର:ବିଜେପି ଓ ବିଜେଡି ଭିତରେ ମେଣ୍ଟ ଚର୍ଚ୍ଚାକୁ ନେଇ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାର ବିଜୟପାଲ ସିଂ ତୋମାର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଉଭୟ ଦଳ ଭିତରେ ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା ହୋଇନାହିଁ । ଏପର୍ଯ୍ୟନ୍ତ ଏନେଇ କୌଣସି ଚର୍ଚ୍ଚା ହୋଇନାହିଁ । ଆମେ ରାଜ୍ୟର ସବୁ ସିଟରେ ଲଢିବାକୁ ପ୍ରସ୍ତୁତି ଜାରି ରଖିଛୁ । ବିଧାନସଭାରେ ବିଜେପି ୮୦ରୁ ଅଧିକ ସିଟ ପାଇ  ସରକାର ଗଢିବୁ । ଲୋକସଭାରେ ୧୬ରୁ ଅଧିକ ଆସନରେ ବିଜୟୀ ହେବୁ ବୋଲି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାର ବିଜୟପାଲ ସିଂ ତୋମାର କହିଛନ୍ତି । ଅନ୍ୟପକ୍ଷରେ ନିକଟରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ବିଜେଡୀି ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ ଦିଲ୍ଲୀଯିବା ପ୍ରସଙ୍ଗରେ ଶ୍ରୀ ତୋମାର କହିଛନ୍ତି ଯେ ମୋତେ କେହି ଭେଟିନାହାନ୍ତି । ମେଣ୍ଟ କଥା ଯିଏ କହୁଛି, ତାକୁ ପଚାର ବୋଲି ସେ କହିଛନ୍ତି । ପ୍ରକାଶ ଯେ  ବିଜେଡି ସହିତ ମେଣ୍ଟ କରିବା ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ। ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀରୁ ଫେରିବା ପରେ କହିଥିଲେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଥିଲେ ନିର୍ବାଚନ ପ୍ରସ୍ତୁତି ନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ସହିତ କଥାବାର୍ତ୍ତା ଥିଲା। ସେହି ଉଦ୍ଦେଶ୍ୟରେ ଆମେ ଦିଲ୍ଲୀ ଯାଇଥିଲୁ। ସେଠାରେ ଅନ୍ୟ କୌଣସି ବିଷୟରେ ଆଲୋଚନା ହୋଇନାହିଁ। ମେଣ୍ଟ ବିଷୟରେ ଆଲୋଚନା ହୋଇନାହିଁ। ଓଡ଼ିଶାରେ ଓ କେନ୍ଦ୍ରରେ କେମିତି ଆମ ସରକାର ହେବ ସେ ବିଷୟରେ ଆଲୋଚନା ହୋଇଛି। ସେ ସଂପର୍କିତ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ଓଡ଼ିଶାରେ ବିଜେପି ଏକାକୀ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିବ। ବିଜେଡି-ବିଜେପି ମେଣ୍ଟକୁ ସେ ବିରୋଧ କରୁଥିବା ନେଇ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବାରୁ ଶ୍ରୀ ସାମଲ କହିଥିଲେ, ମେଣ୍ଟ ନେଇ ଆଦୌ ଆଲୋଚନା ହୋଇନାହିଁ। ତେଣୁ ମୁଁ ବିରୋଧ କରିବାର ପ୍ରଶ୍ନ କେଉଁଠୁ ଉଠିଲା? ମେଣ୍ଟ ନେଇ କେବଳ ମନଗଢ଼ା କାହାଣୀ କୁହାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button