ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର :ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ସରଗରମ ରାଜ୍ୟ ରାଜନୀତି। ଗତକାଲି ରାଜ୍ୟସଭାରେ ବିଜେଡିର ଗର୍ଜନ ପରେ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା ତମ୍ବିତୋଫାନ। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ ବିରୋଧୀ। ଅସମ୍ଭାଳ ହଟ୍ଟଗୋଳ ଯୋଗୁ ଗୃହକୁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି। ବିଜେଡି, କଂଗ୍ରେସ ଓ ସିପିଏମ୍ ତରଫରୁ ଆସିଥିଲା ନିନ୍ଦା ପ୍ରସ୍ତାବ ନୋଟିସ୍ । ଯାହାର ବିଚାର ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଇଛନ୍ତି ବାଚସ୍ପତି। ପରେ ଶୂନ୍ୟକାଳରେ ବିଜୁ ବାବୁଙ୍କ ଉପରେ ବିବୃତି ରଖିଥିଲେ ଉଭୟ ଶାସକ ଓ ବିରୋଧୀ । ତେବେ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ ବିରୋଧୀ ।ଆଇନ ମନ୍ତ୍ରୀ କହିଛନ୍ତି, ମନ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ବି ବ୍ୟଥିତ। ଆଇନ ମନ୍ତ୍ରୀ ମଧ୍ୟ ନିନ୍ଦା କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ସାଂସଦ ନିଶିକାନ୍ତ ଦୁବେ ଓଡ଼ିଶାର ବିଶିଷ୍ଟ ଜନନାୟକ ବିଜୁ ପଟ୍ଟାନାୟକଙ୍କ ବିଷୟରେ ଯେଉଁ ନକରାତ୍ମକ ଟିପ୍ପଣୀ ଦେଇଛନ୍ତି ତାହା ସରକାରଙ୍କ ସଜ୍ଞାନକୁ ଆସିଛି । ସାଂସଦ ନିଶିକାନ୍ତ ଦୁବେଙ୍କ ଏହା ବ୍ୟକ୍ତିଗତ ମତ। ଏଭଳି ଏକ ମନ୍ତବ୍ୟ ଅପରିଣାମଦର୍ଶୀ ମନ୍ତବ୍ୟ । ଏଭଳି ମନ୍ତବ୍ୟ କୌଣସି ଗ୍ରହଣୀୟ ନୁହେଁ । ଏହା ମୁଖ୍ୟମନ୍ତ୍ରୀଙ୍କ ସମେତ ଆମ ସମସ୍ତଙ୍କୁ ବ୍ୟଥିତ କରିଛି । ଏହା ପରେ ଯେପରି ଆଉ କୌଣସି ବ୍ୟକ୍ତି ଏପରି ଅଗ୍ରହଣୀୟ ମନ୍ତବ୍ୟ ପୁନରାବୃତ୍ତି ନ କରନ୍ତି ସେଥିପାଇଁ ମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହା ଉପରେ କୌଣସି ରାଜନୀତି କରିବା ଦ୍ୱାରା ବିଜୁ ବାବୁଙ୍କ ସମ୍ମାନକୁ ଆଘାତ ଦେବ । ତେଣୁ ପ୍ରସଙ୍ଗ ଉପରେ କୌଣସି ଆଲୋଚନା ନ କରିବାକୁ ମନ୍ତ୍ରୀ ବିନୀତ ଅନୁରୋଧ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button