ଶିକ୍ଷକ କର୍ମଚାରୀମାନଙ୍କର ସମସ୍ୟାବଳୀ ସମ୍ପର୍କରେ ବୁଝିଲେ ଆଇନ ମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ଆଜି ଲୋକସେବା ଭବନ ସ୍ଥିତ ଆଇନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ଶିକ୍ଷକ କର୍ମଚାରୀମାନଙ୍କର ସମସ୍ୟାବଳୀ ସମ୍ପର୍କରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ପ୍ରତିନିଧି ମଣ୍ଡଳୀମାନଙ୍କ ସହ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସେମାନଙ୍କ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ବିଭିନ୍ନ ଦିଗ ଉପରେ ବିଶେଷ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ୧୯୪ ଅଣ-ଅନୁଦାନ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ଶିକ୍ଷକ ଓ କର୍ମଚାରୀମାନଙ୍କ ଚାକିରି ସର୍ତ୍ତାବଳୀ ଓ ପେନସନ୍ ପ୍ରଦାନ, ୧୯୯୪ ଅନୁଦାନ ନିୟମ ଆଧାରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ, ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ ପାଳନ କରି ସମସ୍ତ ଅନୁଦାନପ୍ରାପ୍ତ ବିଦ୍ୟାଳୟର ସରକାରୀକରଣ, ୧୯୦୦, ୨୨୦୦ ଓ ୨୮୦୦ ଗ୍ରେଡ଼-ପେ ରେ ଥିବା ଅସଙ୍ଗତି ଦୂରୀକରଣ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ କର୍ମଚାରୀ ନିଯୁକ୍ତି ଆଦି ବିଷୟ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ନେଇ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏହି ଆଲୋଚନାରେ ଏକାମ୍ରର ବିଧାୟକ ବାବୁ ସିଂ, ପାଲଲହଡ଼ାର ବିଧାୟକ ଅଶୋକ କୁମାର ମହାନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଗିରିଶ ଚନ୍ଦ୍ର ସିଂ ସମେତ ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ।