ନମୋ ଆପରେ ଜନ ମନ ସର୍ବେକ୍ଷଣର ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ୧୧ ବର୍ଷ ପୂର୍ତ୍ତି ଅବସରରେ ନରେନ୍ଦ୍ର ମୋଦୀ ଆପ୍ ବା ନମୋ ଆପ୍ ଜରିଆରେ “ଜନ ମନ ସର୍ବେକ୍ଷଣ”ର ଶୁଭାରମ୍ଭ କରାଯାଇଛି। ଗୋଟିଏ ଦିନରେ ଏହି ସର୍ବେକ୍ଷଣକୁ ପାଞ୍ଚ ଲକ୍ଷରୁ ଅଧିକ ପ୍ରତିକ୍ରିୟା ମିଳିଛି ଯାହା ଅଭିଯାନର ଲୋକପ୍ରିୟତାକୁ ଦର୍ଶାଉଛି। ସାଧାରଣ ଲୋକଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ କରିବା ଏବଂ ସେମାନଙ୍କୁ ପ୍ରମୁଖ ଜାତୀୟ ପ୍ରସଙ୍ଗ ତଥା ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ରାୟ ବ୍ୟକ୍ତ କରିବା ଲାଗି ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଅଭିନବ ସର୍ବକ୍ଷେଣର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏକ୍ସରେ “ଜନ ମନ ସର୍ବେକ୍ଷଣ”ର ଘୋଷଣା କରିଥିଲେ। ଏହା ସାଧାରଣ ଲୋକଙ୍କୁ ନିଜର ପ୍ରତିକ୍ରିୟା ଏବଂ ରାୟ ବିଷୟରେ ସିଧାସଳଖ ସରକାରଙ୍କୁ ଅବଗତ କରାଇବା ଲାଗି ଉପଯୁକ୍ତ ମଞ୍ଚ ପ୍ରଦାନ କରିଥାଏ। ଏହି ସର୍ବେକ୍ଷଣ ଦେଶର କୋଣଅନୁକୋଣରୁ ଆସିଥିବା ଲୋକଙ୍କ ପ୍ରତିକ୍ରିୟା ମାଧ୍ୟମରେ ଜନସାଧାରଣଙ୍କ ମନର କଥା ଜାଣି ଭବିଷ୍ୟତର ନୀତି ପ୍ରସ୍ତୁତ କରିବାରେ ସେଗୁଡ଼ିକର ବିଚାର କରିବାରେ ସହାୟକ ହେବ। ନମୋ ଆପ୍ ମାଧ୍ୟମରେ “ଜନ ମନ ସର୍ବେକ୍ଷଣ” କରାଯାଉଛି। ଏହି ସର୍ଭେ ଭାରତୀୟ ନାଗରିକମାନଙ୍କୁ ଜାତୀୟ ସୁରକ୍ଷା ଏବଂ ଶାସନ ଠାରୁ ଆରମ୍ଭ କରି ସାଂସ୍କୃତିକ ଗର୍ବ ଏବଂ ଯୁବ ବିକାଶ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ ସେମାନଙ୍କର ମତାମତ ପ୍ରକାଶ କରିବାର ସୁଯୋଗ ଦିଏ। ପ୍ରଥମ ୨୬ ଘଣ୍ଟାରେ ସାଧାରଣ ଲୋକଙ୍କଠାରୁ ମୋଟ ୫୦୦,୦୦୦ରୁ ଅଧିକ ପ୍ରତିକ୍ରିୟା ପାଇ, ଏହି ସର୍ବେକ୍ଷଣ ଜନସାଧାରଣଙ୍କ ସହିତ ସିଧାସଳଖ ଏବଂ ଅର୍ଥପୂର୍ଣ୍ଣ ଭାବରେ ସଂଯୋଗ ସ୍ଥାପନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବରେ ଉଭା ହୋଇଛି। ଏହି ସର୍ବେକ୍ଷଣ ଲୋକଙ୍କ ମତାମତର ରାଷ୍ଟ୍ର ବିକାଶରେ ଉପଯୁକ୍ତ ଭାବରେ ଯୋଗଦାନ ନିଶ୍ଚିତ କରିଥାଏ। ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିବା ଲାଗି ସାଧାରଣ ନାଗରିକ ନମୋ ଆପ୍ ରେ ଉପଲବ୍ଧ ଦୁଇଟି ଭିନ୍ନ ଭିନ୍ନ ସହଯୋଗ ବିକଳ୍ପ ଚୟନ କରିପାରିବେ। ହୋମ ପେଜରେ ଥିବା ନିମ୍ନ ବ୍ୟାନର ମାଧ୍ୟମରେ ଅଂଶଗ୍ରହଣକାରୀ ସର୍ବେକ୍ଷଣରେ ସାମିଲ ହୋଇପାରିବେ।