ହିମସ୍ଖଳନ ପରେ ଉତ୍ତରାଖଣ୍ଡରେ ଭୂସ୍ଖଳନ, ଭୁଶୁଡିଲା ହେମକୁଣ୍ଡ ସାହିବକୁ ଯୋଡୁଥିବା ପୋଲ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ହିମସ୍ଖଳନ ପରେ ଏବେ ଭୂସ୍ଖଳନର ଭୟ । ଚମୋଲିରେ ପୁଣି ପ୍ରକୃତି ରଚିଲା ତାଣ୍ଡବ । ଚମୋଲି ଗୋବିନ୍ଦଘାଟରେ ଆଜି ସକାଳେ ପାହାଡ ଧସିଛି । ଫଳରେ ଭୂସ୍ଖଳନ କାରଣରୁ ହେମକୁଣ୍ଡ ସାହିବକୁ ଯୋଡୁଥିବା ପୋଲ ଭୁଶୁ଼ଡି ପଡିଛି । ଚମୋଲି ଜିଲ୍ଲାରେ ହିମସ୍ଖଳନର ଭୟ ମନରୁ ଯାଇ ନଥିବା ବେଳେ ପୁଣି ଭୂସ୍ଖଳନ ଭୟ ଲୋକଙ୍କୁ ଘାରିଛି । ପୋଲ ଭୁଶୁଡିବା ଯୋଗୁଁ ପୁଲନା, ଧାନ୍ଧାରିୟା, ହେମକୁଣ୍ଡ ସାହିବ ଏବଂ ଫୁଲେ ଘାଟିର ଯିବାଆସିବା ସବୁ କିଛି ବନ୍ଦ ହୋଇଛି । ପୋଲ ସେପଟେ ଥିବା ସମସ୍ତ ଗାଁର ଲୋକ ଯିବାଆସିବାରେ ବାଧାପ୍ରାପ୍ତ ହୋଇଛି । ଗାଡିରେ ଯାଇଥିବା ଲୋକ ଅଳକାନନ୍ଦା ନଦୀର ଆରପଟରେ ଫସିଛନ୍ତି । ଭାସିଯାଇଥିବା ପୋଲଟି ୨୦୧୫ରେ ନିର୍ମାଣ କରାଯାଇଥିଲା । ଏହା ହେମକୁଣ୍ଡ ସାହିବ, ଫୁଲେ ଘାଟି ଏବଂ କାଗଭୁସଣ୍ଡି ଭଳି ଟ୍ରାକିଂ ଭଳି ଧାର୍ମିକ ସ୍ଥଳକୁ ଯୋଡୁଥିଲା । ମଇ ୨୫ରେ ଶିଖଙ୍କ ପିବତ୍ର ଧାମ ହେମକୁଣ୍ଡ ସାହିବର କପାଟ ଖୋଲିବାର ଥିଲା । ଏହି ପୋଲ ଭୁଶୁଟିବା ଦ୍ବାରା ଏଠାକୁ ଯିବାକୁ ଥିବା ଲୋକଙ୍କୁ ସମସ୍ୟା ଉପୁଜିପାରେ । ତେବେ ଚମୋଲିରେ ପାଣିପାଗ ଠିକ୍ ରହୁ ନଥିବା କାରଣରୁ ପ୍ରାକୃତିକ ଅଘଟଣ ଘଟୁଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି । ମାର୍ଚ୍ଚ ୮ ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ବଦ୍ରିନାଥ, ହେମକୁଣ୍ଡ ସାହିବ ଆଦି ଅଞ୍ଚଳରେ ପ୍ରବଳ ତୁଷାରପାତ ହେଉଥିବା ବେଳେ ଅନେକ ସ୍ଥାନରେ ବର୍ଷା ହେଉଛି । ସୂଚନାଯୋଗ୍ୟ, ଶୁକ୍ରବାର ବଦ୍ରିନାଥ ନିକଟସ୍ଥ ମାଣା ଗାଁରେ ହିମସ୍ଖଳନ ଯୋଗୁ ୫୪ ଜଣ ଶ୍ରମିକ ବରଫ ଅତଡା ତଳେ ପୋତି ହୋଇଯାଇଥିଲେ । ଶନିବାର ଉଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଦୁର୍ଘଟଣାରେ ପୋତିହୋଇ ପଡିଥିବା ୫୦ ଜଣ ଶ୍ରମିକ ଉଦ୍ଧାର ହୋଇଥିଲେ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ୪ ଜଣଙ୍କର ଚିକିତ୍ସା କାଳରେ ମୃତ୍ୟୁ ହୋଇଥିଲା । ରବିବାର ଆଉ ୪ ଜଣଙ୍କ ଶବ ଉଦ୍ଧାର ହେବା ପରେ ମୋଟ ମୃତ୍ୟୁ ସଂଖ୍ୟା ୮କୁ ପହଞ୍ଚିଛି । ଏହି ଉଦ୍ଧାର ଅଭିଯାନରେ ଆଇଟିବିପି, ଏନଡିଆରଏଫ ଓ ସେନା ଅଂଶଗ୍ରହଣ କରିଥିଲେ । ଏହା ଛଡା ବାୟୁସେନା ହେଲିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା ।