ଚାକିରି ପାଇଁ ଜମି ମାମଲା: ରାବ୍ରି ଦେବୀ ଏବଂ ମିସା ଭାରତୀଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ଚାକିରି ପାଇଁ ଜମି ମାମଲାକୁ ନେଇ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ତାଙ୍କ ଝିଅ ମିସା ଭାରତୀ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ପହଞ୍ଚିଛନ୍ତି। ଏହି ମାମଲାର ଶୁଣାଣି କୋର୍ଟରେ ଆରମ୍ଭ ହୋଇଛି। ରାବ୍ରି ଦେବୀ, ମିସା ଭାରତୀ ଏବଂ ହେମା ଯାଦବ ମଧ୍ୟ ଜାମିନ ଆବେଦନ କରିଛନ୍ତି। ୧ ଲକ୍ଷ ଟଙ୍କା ବଣ୍ଡରେ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଶୁଣାଣି ସମୟରେ, ଅଭିଯୁକ୍ତଙ୍କ ନିୟମିତ ଜାମିନରେ ଉତ୍ତର ଦାଖଲ କରିବାକୁ ଇଡି ସମୟ ମାଗିଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୮ ତାରିଖରେ ହେବ। ଫେବୃଆରୀ ୨୮ ତାରିଖରେ ଅଭିଯୁକ୍ତଙ୍କ ନିୟମିତ ଜାମିନ ଶୁଣାଣି ହେବ। ମିଳିଥିବା ସୂଚନା ଅନୁଯାୟୀ, ଅମିତ କାତ୍ୟାଲଙ୍କ ବ୍ୟତୀତ ଅନ୍ୟ କେହି ଏହି ମାମଲାରେ ଗିରଫ ହୋଇଛନ୍ତି କି ନାହିଁ ବୋଲି କୋର୍ଟ ଇଡିଙ୍କୁ ପଚାରିଥିଲେ। କୋର୍ଟଙ୍କ ପ୍ରଶ୍ନ ଉପରେ ଇଡି କହିଛି ଯେ, କେବଳ ଅମିତ କାତ୍ୟାଲଙ୍କୁ ଗିରଫ କରାଯାଇଛି। ଅମିତ କାତ୍ୟାଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇଥିଲେ। ପ୍ରକାଶ ଯେ, ରେଳବାଇରେ ଚାକିରି ବଦଳରେ ଜମି ନେଇଥିବାର ଅଭିଯୋଗ ହେତୁ ଅର୍ଥ ହେରଫେର ମାମଲାରେ କୋର୍ଟରେ ଏହି ଶୁଣାଣି ଚାଲିଛି।

Related Articles

Leave a Reply

Your email address will not be published.

Back to top button