ପ୍ରବଳ ଖରାରେ କଲବଲ ଭକ୍ତ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଖରାରେ ଦୀର୍ଘ ସମୟ ଧରି ଅପେକ୍ଷା

ଭୁବନେଶ୍ବର: ପ୍ରବଳ ଖରାରେ କଲବଲ ଭକ୍ତ । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଟାଇଁ ଟାଇଁ ଖରାରେ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ । ଅଗ୍ନିଶମ ବିଭାଗ ପକ୍ଷରୁ କ୍ରମାଗତ ଜଳ ସିଞ୍ଚନ କରାଯାଉଛି । ଆଜି ସୋମବାର ଚୈତ୍ର ଶୁକ୍ଳ ଦ୍ଵିତୀୟା ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସଂଧ୍ୟା ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କର ଏହା ଗୁପ୍ତନୀତି ଥିବାରୁ ପ୍ରାୟ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦଇତାପତି ସେବାୟତଙ୍କ ଦ୍ବାରା ମହାପ୍ରଭୁଙ୍କ ଏହି ଗୁପ୍ତନୀତି ଅନୁଷ୍ଠିତ ହେବାକୁ ଥିବାରୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି କରାଯାଇଥାଏ । ଏହା ଠାକୁରଙ୍କ ଗୁପ୍ତ ନୀତି ହୋଇଥିବା ବେଳେ ବର୍ଷକୁ ଏକାଧିକ ଥର ଏହି ନୀତି ଅନୁଷ୍ଠିତ ହୋଇଥାଏ। ତେବେ ଆଜି ଅପରାହ୍ନରେ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଶ୍ରୀମନ୍ଦିରରେ ପାଞ୍ଚଘଣ୍ଟା ଦର୍ଶନ ବନ୍ଦ ରହିବ । ଠାକୁରଙ୍କ ଦର୍ଶନ କରିବା ପାଇଁ ଆଜି ସକାଳୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପରିକ୍ରମା ମାର୍ଗରେ ଶହ ଶହ ଭକ୍ତ ଡହ ଡହ ଖରାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିଛନ୍ତି ।