ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଚାରପତି ଶତ୍ରୁଘନ ପୂଜାହାରୀ

ଭୁବନେଶ୍ୱର: ବିଚାରପତି ଶତ୍ରୁଘନ ପୂଜାହାରୀ ଆଜି, ୩୦.୦୩.୨୦୨୬ ଓଡ଼ିଶା ମାନବ ଅଧିକାର ଆୟୋଗ (ଓ.ଏଚ.ଆର.ସି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ତାଙ୍କର ଦ୍ୱିତୀୟ ଦାୟିତ୍ୱକାଳ ହୋଇଥିବାରୁ ତାଙ୍କର ନେତୃତ୍ୱ ଓ ମାନବ ଅଧିକାର ସୁରକ୍ଷା ପ୍ରତି ଅତୁଟ ସମର୍ପଣ ଉପରେ ପୁନର୍ବାର ଆସ୍ଥା ପ୍ରକାଶ ପାଇଛି। ବିଚାରପତି ପୂଜାହାରୀ ଜଣେ ପ୍ରତିଷ୍ଠିତ ନ୍ୟାୟିକ ବ୍ୟକ୍ତିତ୍ୱ ଯିଏ ଉଚ୍ଚ ନ୍ୟାୟାଳୟ ଓ ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ଅର୍ଜନ କରିଛନ୍ତି। ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟରତ ଥିବା ସହ ରାଜ୍ୟ ସରକାର ଓ ନ୍ୟାୟିକ ପ୍ରଣାଳୀର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ନିଭାଇଛନ୍ତି। ୧୦ ଫେବୃଆରୀ ୨୦୨୩ ରୁ ଆରମ୍ଭ ହୋଇଥିବା ତାଙ୍କର ପୂର୍ବତନ କାର୍ଯ୍ୟକାଳ ମାନବ ଅଧିକାର ସମସ୍ୟାଗୁଡିକ ର ସମାଧାନରେ ସକ୍ରିୟ ଭୂମିକା ଓ ପ୍ରତିଷ୍ଠାନଗତ କ୍ଷମତାକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ରହିଥିଲା। ତାଙ୍କ ପୂର୍ବତନ କାର୍ଯ୍ୟକାଳରେ ଆୟୋଗ ନ୍ୟାୟ ପ୍ରାପ୍ତିକୁ ସୁଗମ କରିବା, ମାନବ ଅଧିକାର ସଚେତନତା ବୃଦ୍ଧି କରିବା ଏବଂ ସମାଜର ଅବହେଳିତ ଓ ସଂବେଦନଶୀଳ ବର୍ଗମାନଙ୍କ ସମସ୍ୟାରେ ସମୟୋପଯୁକ୍ତ ହସ୍ତକ୍ଷେପ କରିବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲା। ତାଙ୍କର ପୁନର୍ନିଯୁକ୍ତି ଏହି ପ୍ରୟାସଗୁଡ଼ିକୁ ଅବିରତ ରଖିବା ସହ ଆହୁରି ଗତି ଦେବ ବୋଲି ଆଶା କରାଯାଉଛି।



