ଝାରସୁଗୁଡ଼ା ଉପନିର୍ବାଚନ: ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ହେବ ମୁଖ୍ୟ ପ୍ରସଙ୍ଗ
ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବୟାନବାଜି ଆରମ୍ଭ ହୋଇଛି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସହ ପଛୁଆ ଜାତି, ଅନୁସଚିତ ଜାତି ଓ ଜନଜାତିଙ୍କ ସମସ୍ୟାକୁ ଝାରସୁଗୁଡ଼ା ଉପନିର୍ବାଚନର ମୁଖ୍ୟ ପ୍ରସଙ୍ଗ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗୁରୁବାର ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ଝାରସୁଗୁଡ଼ା ଉପନିର୍ବାଚନ ଯେଉଁଥି ପାଇଁ ହେଉଛି, ତାହା ହିଁ ଦଳର ମୂଳ ପ୍ରସଙ୍ଗ ହେବ । ସ୍ପଷ୍ଟ ଦିବାଲୋକରେ ଓଡ଼ିଶା ସରକାରଙ୍କ ପୁଲିସ୍ ଅଧିକାରୀଙ୍କ ଗୁଳିରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ମୃତ୍ୟୁ ହେଲା । ଏହାର କିଛି ମାସ ପରେ ଝାରସୁଗୁଡ଼ାରେ ନାବାଳକର ଅପହରଣ ସହ ହତ୍ୟା କରାଗଲା । ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ିପଡ଼ିିଛି । ଗରିବ ଲୋକର ହିତ ଓ ସ୍ୱାର୍ଥକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ପଛୁଆ ଜାତି, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ସବୁଠୁ କ୍ଷତିରେ ଅଛନ୍ତି । ଏହା ହିଁ ଓଡ଼ିଶାର ମୂଳ ପ୍ରସଙ୍ଗ । ଏସବୁ ଉପନିର୍ବାଚନରେ ପ୍ରସଙ୍ଗ ହେବ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେପି ଗତକାଲି ପ୍ରାର୍ଥୀ ଘୋଷଣା କରିଛି । ଟଙ୍କଧର ତ୍ରିପାଠୀ ହେଉଛନ୍ତି ଜଣେ ଦକ୍ଷ ସଂଗଠକ, ଲଢୁଆ ଯୁବ ନେତା । ସେ ରାଜ୍ୟ ସମ୍ପାଦକ ଦାୟିତ୍ୱରେ ଅଛନ୍ତି । ପୂର୍ବରୁ ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ଦାୟିତ୍ୱରେ ରହିଥିଲେ । ତାଙ୍କ ଭଳି ଯୁବ ନେତାଙ୍କୁ ଦଳ ପ୍ରାର୍ଥୀ କରିବା ସ୍ୱାଗତଯୋଗ୍ୟ । ଏହି ଉପନିର୍ବାଚନରେ ତିନୋଟି ରାଜନୈତିକ ଦଳ ଯୁବ ନେତାଙ୍କୁ ପ୍ରାର୍ଥୀ କରିବା ଓଡ଼ିଶା ରାଜନୀତି ପାଇଁ ଶୁଭ ଲକ୍ଷଣ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।ଅନ୍ୟପକ୍ଷରେ ହନୁମାନ ଜୟନ୍ତୀ ପରିପ୍ରେକ୍ଷୀରେ ସମ୍ବଲପୁରରେ ସୃଷ୍ଟ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ମଧ୍ୟ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶାନ୍ତି ବଜାୟ ରଖିବା ପାଇଁ ସମ୍ବଲପୁରବାସୀଙ୍କୁ ସେ ଅନୁରୋଧ କରିବା ସହ ପରିସ୍ଥିତି ପାଇଁ ପ୍ରଶାସନିକ ଅପରାଗତାକୁ ଦାୟୀ କରିଛନ୍ତି ।