ଭିଜିଲାନ୍ସ ଜାଲରେ ଜଟଣୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ

ଭୁବନେଶ୍ବର: ଚାକିରି କରିଥିଲେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ। ହେଲେ ସମ୍ପତ୍ତି ଅର୍ଜିଛନ୍ତି ପୂରା କୋଟିପତି ଭଳି। ଏ ହେଉଛି ଜଟଣୀ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟନାରାୟଣ ପାଟ୍ଟଯୋଶୀଙ୍କ ଗୁମର କଥା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରି ପାଇଛି ଶ୍ରୀ ପାଟ୍ଟଯୋଶୀଙ୍କ କୁବେର ଖାଦାନ। କେବଳ ଭୁବନେଶ୍ୱରସ୍ଥ ଫ୍ଲାଟରୁ ମିିଳିଛି ନଗଦ ୧୭ ଲକ୍ଷ ଟଙ୍କା। ଏହାଛଡ଼ା ରାଜ୍ୟସାରା ମାଳମାଳ ପ୍ଲଟ ଓ ଫ୍ଲାଟ ଠାବ ହୋଇଛି। ଭିଜିଲାନ୍ସ ଜାଲରେ ପୁଣି ଜଣେ କୋଟିପତି ସରକାରୀ ଅଧିକାରୀ ଫସିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ କାର୍ଯ୍ୟାଳୟ, ଗଞ୍ଜାମ ସୋରଡ଼ାସ୍ଥିତ ବାସଭବନ ସମେତ ୧୦ଟି ସ୍ଥାନରେ ଆଜି ପ୍ରାତଃରୁ ଏକକାଳୀନ ଭାବେ ଭିଜିଲାନ୍ସ ଚଢ଼ଉ କରିଛି। ଚଢ଼ଉବେଳେ ଭିଜିଲାନ୍ସ କୋଟି କୋଟି ଟଙ୍କାର ଜମି, ଫ୍ଲାଟ, ବହୁତଳ ବିଶିଷ୍ଠ କୋଠା, ସୁନା ଗହଣା, ଘରୋଇ ଉପକରଣ, ଗାଡ଼ି, ବ୍ୟାଙ୍କଜମା ଆଦି ଠାବ କରିବାରେ ସଫଳ ହୋଇଛି। ପୌର କାର୍ଯ୍ୟନିର୍ବାହୀ ଅଧିକାରୀଭାବେ କାର୍ଯ୍ୟକରିବାର ମାତ୍ର ଦେଢ଼ବର୍ଷ ମଧ୍ୟରେ କିପରି ସେ ଅମାପ ସମ୍ପତ୍ତିର ମାଲିକ ହୋଇପାରିଛନ୍ତି ଏହାକୁ ନେଇ ତାଜୁବ୍ ହୋଇଛି ଭିଜିଲାନ୍ସ। ଭୁବନେଶ୍ୱରର ଜାଗମରା ଓ ଖାରବେଳ ନଗରରେ ରହିଛି ୨ଟି ଫ୍ଲାଟ, ଜାଗମରାରେ ସମ୍ପର୍କୀୟଙ୍କ ନାମରେ ମୂଲ୍ୟବାନ ପ୍ଲଟ, ଡେଲ୍ଟା ଛକରେ ସ୍ତ୍ରୀ ଦୀପିକା ମହାପାତ୍ରଙ୍କ ନାମରେ ୪.୫ ବିଏଚ୍କେ ଫ୍ଲ୍ାଟ ପାଇଁ ବିଲଡରଙ୍କୁ ୫୬.୪୦ ଲକ୍ଷ ଟଙ୍କା ଅଗ୍ରୀମ ପ୍ରଦାନ , ବିଜେବି ନଗରରେ ଏକ ବେନାମୀ କୋଠା ଠାବ କରିଛି ଭିଜିଲାନ୍ସ। ଏଥି ସହିତ ବ୍ରହ୍ମପୁର ପାନକାପଲ୍ଲୀରେ ୩୩୬୦ବର୍ଗଫୁଟର ଦୁଇ ମହଲା କୋଠା, ଅଙ୍କୁଲିରେ ୩ମହଲା ବିଶିଷ୍ଟ କୋଠାଘର, ସେଠାରେ ନିର୍ମାଣଧୀନ ୫୫୦୦ ବର୍ଗଫୁଟର ୪ ମହଲା ରହିଛି। ସୋରଡ଼ାରେ ତାଙ୍କର ୩ଟି ଘର ରହିଥିବା ଜଣାପଡ଼ିଛି। ଯାହାକୁ ସେ ଭଡ଼ା ସୂତ୍ରରେ ଦେଇଥିବାର ସୂଚନା ରହିଛି। ଘରୁ ନଗଦ ୧୭ ଲକ୍ଷ ଟଙ୍କା,୧୫୦ଗ୍ରାମର ସୁନା ଗହଣା ମିଳିଛି। ୭୬ ଲକ୍ଷ ୧୫ ହଜାର ୬୯୫ ଟଙ୍କା ବ୍ୟାଙ୍କ ଜମା ଓ ଘରୋଇ ଉପକରଣ ଠାବ ହୋଇଛି। ୩ଟି ଦୁଇ ଚକିଆ ସହ ଗୋଟିଏ କାର୍କୁ ଜବତ କରିଛି ଭିଜିଲାନ୍ସ। ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ଷ୍ଟେଟ୍ ବ୍ୟାଙ୍କରେ ଲକର ମଧ୍ୟ ତାଙ୍କ ନାମରେ ରହିଛି। ସୂଚନାଯୋଗ୍ୟ ସୂର୍ଯ୍ୟମଣି ୧୯୯୪ ମସହାରେ ମାର୍ଚ୍ଚ ୨୨ ତାରିଖରେ ନଗରଙ୍ଗପୁର ପୌରପାଳିକାରେ ଜୁନିୟର ଇଞ୍ଜିନିୟର ଭାବେ ଯୋଗ ଦେଇଥିଲା ବେଳେ ପରେ ୨୦୨୪ ମସିହା ଫେବୃଆରୀ ୧ ତାରିଖରେ ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ଆଜି ଏହି ଚଢ଼ଉରେ ୯ ଡିଏସ୍ପି, ୪ଜଣ ଇନ୍ସପେକ୍ଟର,୧୩ ଏଏସ୍ଆଇଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।