IT ର ଜାତୀୟ ନାଟ୍ୟ ସେମିନାର: “ନାଟକରେ ସାମାଜିକ ସଂସ୍କାର” ଉପରେ ମନ୍ଥନ

ଭୁବନେଶ୍ୱର, ୦୭ ଫେବୃଆରୀ ୨୦୨୬: ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ‘ଇଣ୍ଟରନ୍ୟାସନାଲ୍ ଥିଏଟର’ (IT) ଅନୁଷ୍ଠାନର ୫୦ ବର୍ଷ ପୂର୍ତ୍ତି ତଥା ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଗତ ୫ ଫେବୃଆରୀରେ ଏକ ଜାତୀୟ ନାଟ୍ୟ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରର ମୁଖ୍ୟ ପ୍ରସଙ୍ଗ ଥିଲା “ନାଟକରେ ସାମାଜିକ ସଂସ୍କାର”। ଏଥିରେ ଫ୍ରାନ୍ସରୁ ପ୍ୟାଟ୍ରିକ୍ ନାଭାଟ୍ଟେ, ବେଲଜିୟମରୁ ଓଲିଭିୟର୍ ନୋନନ୍, କୋଲକାତାର ଗୌତମ ହାଲଦାର ଓ ଦ୍ୱିତୀ ଘୋଷ-ହାଲଦାରଙ୍କ ସମେତ ଓଡ଼ିଶାର ବରିଷ୍ଠ ନାଟ୍ୟ ବ୍ୟକ୍ତିତ୍ୱ ଲଲାଟେନ୍ଦୁ ରଥ ଏବଂ ଫକୀର ସିଂ ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ। ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ‘ଇଣ୍ଟରନ୍ୟାସନାଲ୍ ଥିଏଟର’ର ନିର୍ଦ୍ଦେଶକ ମିହିର ମେହେର ସେମିନାରର ଆବାହକ ଥିଲେ।

ଆଲୋଚନା ସମୟରେ ପ୍ୟାଟ୍ରିକ୍ ନାଭାଟ୍ଟେ ମଞ୍ଚରେ ଅଭିନୟ ମାଧ୍ୟମରେ ଅଣ-କଳାକାରମାନେ ସମାଜରେ ପାଉଥିବା ସମ୍ମାନ ଉପରେ ଆଲୋକପାତ କରିଥିବାବେଳେ ଓଲିଭିୟର୍ ନୋନନ୍ ଆଜିର ସ୍କ୍ରିନ୍ ବା ନେଟଫ୍ଲିକ୍ସ ଯୁଗରେ ନାଟକକୁ ବଞ୍ଚାଇ ରଖିବା ପାଇଁ ଏକତା ଉପରେ ଗୁରୁତ୍ୱ ଦେଇଥିଲେ। ଗୌତମ ହାଲଦାର ନାଟକ କ୍ଷେତ୍ରରେ ଥିବା ସାମାଜିକ ଓ ପାରିବାରିକ ଚ୍ୟାଲେଞ୍ଜ ବିଷୟରେ ମତ ଦେଇଥିଲେ। ସେହିପରି ଫକୀର ସିଂ ଯୁବପିଢ଼ି ନିଶା ଓ ବିଭିନ୍ନ ଅସାମାଜିକ କାର୍ଯ୍ୟରୁ ଦୂରେଇ ରହିବା ପାଇଁ ନାଟକର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ଲଲାଟେନ୍ଦୁ ରଥ ନାଟକର ଭବିଷ୍ୟତ ପାଇଁ ଆଶାବାଦୀ ରହିବାକୁ କହିଥିବା ବେଳେ ସୁବୋଧ ପଟ୍ଟନାୟକ ଗାନ୍ଧୀଙ୍କ ଉପରେ ନାଟକର ପ୍ରଭାବ ଏବଂ ନାଟ୍ୟକର୍ମୀଙ୍କ ଆତ୍ମ-ଅନୁଶାସନ ଉପରେ ନିଜର ମତ ରଖିଥିଲେ। ଆଗାମୀ ଦିନର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଯୁବ ନାଟ୍ୟ ନିର୍ଦ୍ଦେଶକ ଦୀପକ ମଧ୍ୟ ସାମାଜିକ ପରିବର୍ତ୍ତନରେ ନାଟକର ଆବଶ୍ୟକତା ବିଷୟରେ ନିଜର ଅନୁଭୂତି ବାଣ୍ଟିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button