ରାଜ୍ୟରେ ପୁଣି ବଢିବ ଗରମ

ଭୁବନେଶ୍ୱର: ରାଜ୍ୟରେ ତାତି ପ୍ରକୋପ ବଢ଼ିବା ସହ ଗରମ ଫେରିଛି । ୧୩ଟି ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ଟପିଥିବାବେଳେ ସର୍ବାଧିକ ୩୯ ଡିଗ୍ରୀ ସେଲସିୟସ୍‌ ଛୁଇଁଛି ତାତି । ଗରମ ଆହୁରି ବଢ଼ିବ । ୪ ଦିନ ଭିତରେ ୩ରୁ ୫ ଡିଗ୍ରୀ ବଢ଼ିପାରେ ପାରଦ। ଅନ୍ୟପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୮ ତାରିଖବେଳକୁ ଏହା ଲଘୁଚାପ ଓ ୯ରେ ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଅଧିକ ବଳ ଜୁଟାଇ ବାତ୍ୟା ରୂପ ନେବା ସହ ଉତ୍ତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ମୁହାଁଇବା ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏଭଳି ପୂର୍ବାନୁମାନ କରିଛି । ମାତ୍ର ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଆଇଏମଡି ବର୍ତ୍ତମାନ କୌଣସି ପୂର୍ବାନୁମାନ କରିନାହିଁ । ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ଏପଟେ ରାଜ୍ୟରେ ପୁଣି ଗରମ ବଢ଼ିବାରେ ଲାଗିଛି । ଆସନ୍ତା ୪ ଦିନ ଭିତରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ଶନିବାର ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଟପିଥିଲା । ସୁନ୍ଦରଗଡ଼ରେ ସର୍ବାଧିକ ୩୯ ଡିଗ୍ରୀ, ଅନୁଗୁଳ ୩୮.୧, ଝାରସୁଗୁଡ଼ା ୩୮.୬, ସମ୍ବଲପୁର ୩୮.୭, ତାଳଚେର ୩୮, ବଲାଙ୍ଗିର ୩୭.୮, ହୀରାକୁଦ ୩୭.୬, ଟିଟିଲାଗଡ଼ ୩୭, ସୋନପୁର ୩୭.୫, ପାରଳାଖେମୁଣ୍ଡି ୩୭.୫, ଢେଙ୍କାନାଳ ୩୭.୧, ବରଗଡ଼ ୩୭.୬ ଓ କଟକ ୩୭.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ରବିବାର ଅଳ୍ପ କେତେକ ଜାଗାରେ କାଳବୈଶାଖୀ ବର୍ଷା ହୋଇପାରେ ।

Related Articles

Leave a Reply

Your email address will not be published.

Back to top button