ଇସ୍ରୋ ମୁଖ୍ୟଙ୍କ ସୂଚନା : ୨୦୪୦ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ମାନବାରୋହଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଅଧ୍ୟକ୍ଷ ଭି. ନାରାୟଣନ ଏକ ବଡ଼ ସୂଚନା ଦେଇଛନ୍ତି। ଶ୍ରୀ ନାରାୟଣନ୍ କହିଛନ୍ତି ଯେ ଇସ୍ରୋ ୨୦୪୦ ସୁଦ୍ଧା ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରରେ ଅବତରଣ କରିବା ଏବଂ ସେମାନଙ୍କୁ ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବାର ଲକ୍ଷ୍ୟ ରଖିଛି। ତାଙ୍କ କହିବାନୁସାରେ ୨୦୩୫ ସୁଦ୍ଧା ଏକ ଜାତୀୟ ମହାକାଶ ଷ୍ଟେସନ୍ ନିର୍ମାଣ ଏବଂ ୨୦୨୬ ସୁଦ୍ଧା ତିନୋଟି ମାନବହୀନ ‘ଗଗନୟାନ୍‌’ ମିଶନ ସମେତ ଅନେକ ମହତ୍ୱାକାଂକ୍ଷୀ ମହାକାଶ ପ୍ରକଳ୍ପ ଏବଂ କ୍ଷେତ୍ର ସଂସ୍କାର ବର୍ତ୍ତମାନ ଚାଲିଛି। ଏହି ତିନି ମାନବବିହୀନ ମିଶନ୍ ମଧ୍ୟରେ ପ୍ରଥମଟି ହେଉଛି ଏକ ଅଧା-ମାନବୀୟ ରୋବୋଟ୍ ‘ବ୍ୟୋମିତ୍ର’, ଯାହାକୁ ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକାରୀ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ଏହି ମିଶନ ଅନ୍ତର୍ଗତ ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନୟାନ’ ୨୦୨୭ରେ ଲଞ୍ଚହେବା ପାଇଁ ଟ୍ରାକ୍‌ରେ ଅଛି। ରାଞ୍ଚିସ୍ଥିତ ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ବିଆଇଟି) ମେସରାର ୩୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ ନାରାୟଣନ୍ ଏହି ସୂଚନା ଦେଇଛନ୍ତି। ନାରାୟଣନ୍ କହିଛନ୍ତି “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୨୦୪୦ ସୁଦ୍ଧା ଏକ ସ୍ୱଦେଶୀ କ୍ର‌୍ୟୁ ଟିମ୍‌କୁ ଚନ୍ଦ୍ର ମିଶନ ପାଇଁ ପଠାଇବା ନେଇ ପ୍ରସ୍ତୁତି କରିବାକୁ ଏକ ମାର୍ଗଦର୍ଶିକା ଦେଇଛନ୍ତି, ଯାହା ଅଧୀନରେ ଆମକୁ ଚନ୍ଦ୍ରରେ ଆମର ନିଜସ୍ୱ ନାଗରିକଙ୍କୁ ଅବତରଣ କରିବାକୁ ପଡ଼ିବ ଏବଂ ସେମାନଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବାକୁ ପଡ଼ିବ। ଏକ ଶୁକ୍ର ଅର୍ବିଟର ମିଶନ୍ (ଭିଓଏମ୍‌) ମଧ୍ୟ ଗ୍ରହ ଅଧ୍ୟୟନ ପାଇଁ ଅନୁମୋଦନ କରାଯାଇଛି। ତେବେ ଏହି କ୍ର‌୍ୟୁ ମିଶନ୍ ପୂର୍ବରୁ, ଆମେ ତିନୋଟି ଅନ୍‌କ୍ରୁଡ୍ ମିଶନ ଯୋଜନା କରୁଛୁ। ‘ବ୍ୟୋମିତ୍ର’ ଏହିବର୍ଷ ଡିସେମ୍ବରରେ ଉତ୍‌କ୍ଷେପଣ କରାଯିବ। ଆସନ୍ତାବର୍ଷ ଆଉ ଦୁଇଟି ଅନ୍‌କ୍ରୁଡ୍ ମିଶନ୍ ହେବ। ୨୦୨୭ ପ୍ରଥମ ତ୍ରୟମାସ ସୁଦ୍ଧା ଏକ କ୍ରୁଡ୍ ‘ଗଗନୟାନ୍‌’ ମିଶନ କରାଯିବ। ନାରାୟଣନ୍‌ଙ୍କ କହିବାନୁସାରେ ଭାରତର ଆଗାମୀ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଚନ୍ଦ୍ରାୟନ-୪ ଏବଂ ଚନ୍ଦ୍ରାୟନ୍‌-୫, ଏକ ନୂତନ ମଙ୍ଗଳ ଅଭିଯାନ, ଏବଂ ଆକ୍ସଓମ୍‌, ଏକ ଉଚ୍ଚ-ପ୍ରାଥମିକତା ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣ ଅଭିଯାନ ଅନ୍ତର୍ଭୁକ୍ତ ରହିଛି। ଇସ୍ରୋ ଏବେ ଏକ ଆତ୍ମନିର୍ଭରଶୀଳ ଏବଂ ସ୍ପନ୍ଦନଶୀଳ ମହାକାଶ ଇକୋସିଷ୍ଟମ୍‌ର ସ୍ୱପ୍ନକୁ ସାକାର କରିବା ଦିଗରେ ଆତ୍ମବିଶ୍ୱାସ ଏବଂ ସ୍ପଷ୍ଟତାର ସହିତ ଆଗକୁ ବଢ଼ୁଛି ବୋଲି ସେ କହିଛନ୍ତି। ଏତଦ୍‌ବ୍ୟତୀତ “ଚନ୍ଦ୍ରାୟନ-୧ ସାହାଯ୍ୟରେ ଚନ୍ଦ୍ରରେ ପାଣି ଆବିଷ୍କାର କରିବାଠାରୁ ଆରମ୍ଭ କରି ଚନ୍ଦ୍ରାୟନ-୩ ସାହାଯ୍ୟରେ ଚନ୍ଦ୍ର ଦକ୍ଷିଣ ମେରୁ ନିକଟରେ ପ୍ରଥମ ସଫ୍ଟ ଅବତରଣ ପର୍ଯ୍ୟନ୍ତ, ଭାରତ ମହାକାଶରେ ଅନେକ ବିଶ୍ୱ ରେକର୍ଡ ସ୍ଥାପନ କରିଥିବା ଏବଂ ବର୍ତ୍ତମାନ ସମୟରେ ଭାରତ ବିଶ୍ୱ ସ୍ତରରେ ପ୍ରାୟ ୯ଟି କ୍ଷେତ୍ରରେ ନମ୍ବର ୧ ରହିଥିବା ସେ ଦୃଢ଼ ଭାବରେ କହିଛନ୍ତି। ଏହି ଅବସରରେ ସେ ଭବିଷ୍ୟତରେ ଏଆଇର ବହୁଳ ବ୍ୟବହାର, ରୋବୋଟ୍ ସାଇନ୍ସର ଉପାଦେୟତା, ଦେଶର ଆର୍ଥିକ ଅଭିବୃଦ୍ଧି ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button