ଏସ୍ସିବିରେ ଅନିୟମିତତା: ଯାଞ୍ଚରେ ଧରା ପଡିଲା ଅଗ୍ନି ନିରାପତ୍ତା ଜାଲିଆତି

ଭୁବନେଶ୍ବର: ବିଭିନ୍ନ ବିଭାଗର ୱାର୍ଡଠୁ ଆରମ୍ଭ କରି ଆଇସିୟୁ, ଆଉଟ୍ଡୋର, ନିଦାନ କେନ୍ଦ୍ର, ଓଟିରେ ଅଗ୍ନି ନିରାପତ୍ତା ପାଇଁ ଏକ୍ସ୍ଟିଙ୍ଗୁଇସର୍ ଝୁଲୁଛି । ମାତ୍ର ସିଲିଣ୍ଡର୍ ଭିତରେ କିଛି ନାହିଁ । ଏସ୍ସିବି ଅଗ୍ନିକାଣ୍ଡ ଘଟଣା ଘଟିବା ପରେ ମେଡିକାଲ୍ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ୍ ବେଳେ ଏସବୁ ଅନିୟମିତତା ଓ ଜାଲିଆତି ଧରାପଡ଼ିଛି । ଜିଲ୍ଲା ପ୍ରଶାସନ, ଏସ୍ସିବି ମେଡିକାଲ୍ ଓ ଅଗ୍ନିଶମ ସେବା ସଂସ୍ଥାର ମିଳିତ ଯାଞ୍ଚ୍ ସମୟରେ ଅଗ୍ନି ନିର୍ବାପକ ଉପକରଣରେ ଅନେକ ତ୍ରୁଟି ଓ ଜାଲିଆତି ଧରାପଡ଼ିବା ଘଟଣା ଏସ୍ସିବିରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ନିଆଁ ଲିଭାଇବା ପାଇଁ ଏକ୍ସ୍ଟିଙ୍ଗୁଇସରରେ ପୃଥକ୍ ଭାବେ ଡ୍ରାଏ କେମିକାଲ୍ ପାଉଡର୍, କାର୍ବନ୍ ଡାଇଅକ୍ସାଇଡ୍ ଓ ଫୋମ୍ ଭର୍ତ୍ତି କରିବା ବଦଳରେ ଠିକାଦାର ଦୁଇ ବର୍ଷ ଅନ୍ତରରେ କେବଳ ଷ୍ଟିକର୍ ବଦଳାଇଥିବା ଜଣାପଡ଼ିଛି । ସିଲିଣ୍ଡ କେମିକାଲ୍ ଭର୍ତ୍ତି ନକରି କାଗଜପତ୍ରରେ ସବୁ କିଛି ଦର୍ଶାଇ ଜିଇଡିରୁ ମୋଟା ଅଙ୍କର ବିଲ୍ ହୋଇଥିବା ସୂଚନା ମିଳିଛି । ଏହା ଜଣାପଡ଼ିବା ପରେ ଜିଇଡି, ପୂର୍ତ୍ତ ବିଭାଗ ଅଧିକାରୀ ଏବେ ଅକଳରେ ପଡ଼ିଛନ୍ତି । ପ୍ରାଥମିକ ସ୍ତରରେ ହେଉଥିବାଯାଞ୍ଚ୍ରେ ଏକ୍ସଟିଙ୍ଗୁଇସରରେ ଯଦି ଏପରି ଜାଲିଆତି ହୋଇଛି ତେବେ ସ୍ପ୍ରିଙ୍କଲର୍ ସିଷ୍ଟମ୍, ଅଟୋମେଟିକ୍ ଡିଟେକ୍ସନ୍ ଅଫ୍ ସ୍ମୋକ୍ ଆଣ୍ଡ୍ ଫାୟାର୍ ଓ ଫାୟାର୍ ଆଲାମ୍ର୍, ହାଇଣ୍ଡ୍ରାଣ୍ଟ୍ ଆଦି ଉପକରଣରେ ଆହୁରି କେତେ ଯେ ଅନିୟମିତତା ହୋଇନଥିବ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟଣା ହିଁ ଅନିୟମିତତାର ଜ୍ୱଳନ୍ତ ଉଦାହରଣ ବୋଲି ଜଣେ ଅଗ୍ନିଶମ ସେବା ସଂସ୍ଥାର ଅଧିକାରୀ କହିଛନ୍ତି । ଆଇସିୟୁରେ ଏସିରୁ ନିଆଁ ଝରିବା ପରେ କାଜୁଆଲଟିରେ ଡ୍ୟୁଟିରେ ଥିବା କିଛି କର୍ମଚାରୀ ଏକ୍ସ୍ଟିଙ୍ଗଇସର ଗୁଡ଼ିକୁ ବ୍ୟବହାର ପାଇଁ ଚେଷ୍ଟା କରିଥିଲେ । ମାତ୍ର ତାହା କାମ କରି ନଥିଲା । ଦମକଳ ବାହିନୀ କର୍ମଚାରୀ କିଛି ଏକ୍ସଟିଙ୍ଗଇସର,ସ୍ପ୍ରିଙ୍କଲର୍ ସହାୟତା ନେଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା । ସମାନ ଭାବେ ସ୍କ୍ରିଙ୍କଲର୍ ଆଦି ଅନ୍ୟ ଉପକରଣଗୁଡ଼ିକ ମଧ୍ୟ କାମ କରିନଥିଲା । ଏପରିସ୍ଥଳେ ଦମକଳ ବାହିନୀ କର୍ମଚାରୀ ଆଇସିୟୁ ଭିତରେ ପାଣି ମାଡ଼ କରି ନିଆଁକୁ ଆୟତ୍ତ କରିଥିଲେ । ଟ୍ରମା ଆଇସିୟୁରେ ଯଦି ଅଗ୍ନି ନିର୍ବାପକ ଉପକରଣ ସାମାନ୍ୟ କାମ କରିଥାନ୍ତା ତାହେଲେ ଅଗ୍ନିକାଣ୍ଡ ଭୟାବହ ହେବା ପୂର୍ବରୁ ନିଆଁକୁ କିଛି ମାତ୍ରାରେ ଆୟତ୍ତ କରି ହୋଇପାରିଥାନ୍ତା ବୋଲି ଅଗ୍ନିଶମ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।



