ଶେଷ ପର୍ଯ୍ୟାୟରେ ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନଯାନ’ କାର୍ଯ୍ୟକ୍ରମ: ଡ. ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ: ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନଯାନ’ କାର୍ଯ୍ୟକ୍ରମ ଏହାର ଅନ୍ତିମ ପର୍ଯ୍ୟାୟରେ ପ୍ରବେଶ କରିଛି। ୨୦୨୭ର ପ୍ରଥମ ତ୍ରୟମାସରେ ଏହାର ଉଡ଼ାଣ ନିର୍ଦ୍ଧାରିତ ହୋଇଛି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଆଣବିକ ଶକ୍ତି ବିଭାଗ, ମହାକାଶ ବିଭାଗ, କାର୍ମିକ, ଜନ ଅଭିଯୋଗ ଏବଂ ପେନସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ନୂଆଦିଲ୍ଲୀର ନେସନାଲ ମଡିଆ ସେଣ୍ଟରରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ସେ ମିଶନର ବର୍ତ୍ତମାନର ସ୍ଥିତି, ବୈଷୟିକ ପ୍ରଗତି ଏବଂ ଭାରତର ମିତବ୍ୟୟୀ ମହାକାଶ କାର୍ଯ୍ୟକ୍ରମରୁ ମିଳୁଥିବା ଆର୍ଥିକ ଲାଭ ବିଷୟରେ ମଧ୍ୟ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ। ଏହି ଅବସରରେ ଇସ୍ରୋର ଅଧ୍ୟକ୍ଷ ତଥା ମହାକାଶ ବିଭାଗର ସଚିବ ଡକ୍ଟର ଭି. ନାରାୟଣନ ମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ। ଡକ୍ଟର ଜିତେନ୍ଦ୍ର ସିଂହ କହିଥିଲେ, ଚଳିତ ବର୍ଷ ପ୍ରାରମ୍ଭରେ ଟିଭି-ଡି ୱାନ୍ ଅଭିଯାନ ଏବଂ ପ୍ରଥମ ମାନବବିହୀନ ପରୀକ୍ଷଣ ଯାନ ଏବୋର୍ଟ ଅଭିଯାନ ସଫଳ ସମାପନ ଆଗାମୀ ପରୀକ୍ଷଣ କାର୍ଯ୍ୟକ୍ରମ ପାଇଁ ଏକ ସୁଦୃଢ଼ ମୂଳଦୁଆ ପକାଇଛି। ଦ୍ୱିତୀୟ ପରୀକ୍ଷଣ ଯାନ ମିଶନ (ଟିଭି-ଡି ଟୁ)ର ଶୁଭାରମ୍ଭ ୨୦୨୫ ମସିହା ଶେଷରେ ଧାର୍ଯ୍ୟ ହୋଇଛି। ଏହା ପରେ ଗଗନଯାନର ମାନବବିହୀନ କକ୍ଷପଥ ଉଡ଼ାଣ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ୨୦୨୭ ମସିହାରେ ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ ସହିତ ସମାପ୍ତ ହେବ, ଯାହା ଭାରତୀୟ ମହାକାଶଚାରୀମାନଙ୍କୁ ଭାରତ ମାଟିରୁ ଏକ ଭାରତୀୟ ରକେଟରେ ପୃଥିବୀର କକ୍ଷପଥକୁ ପଠାଇବ। ଏହାକୁ ଏକ “ଐତିହାସିକ ଅଭିଯାନ” ଭାବେ ବର୍ଣ୍ଣନା କରି ଡ. ଜିତେନ୍ଦ୍ର ସିଂହ ଦୃଢ଼ତାର ସହ କହିଥିଲେ ଯେ ଗଗନଯାନ କାର୍ଯ୍ୟକ୍ରମ ବୈଜ୍ଞାନିକ ସଫଳତା ଠାରୁ ଊର୍ଦ୍ଧ୍ବରେ। ଏହା ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା, ଆର୍ଥିକ ସାମର୍ଥ୍ୟ ଏବଂ ଦୂରଦୃଷ୍ଟିସମ୍ପନ୍ନ ରାଜନୈତିକ ନେତୃତ୍ୱ ଆଧାରରେ ଏକ ବିଶ୍ୱସ୍ତରୀୟ ମହାକାଶ ଶକ୍ତି ଭାବେ ଭାରତର ଉତ୍ଥାନକୁ ଦର୍ଶାଉଛି ବୋଲି ସେ କହିଥିଲେ। ସେ ଏହା ମଧ୍ୟ ମନେ ପକାଇଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାକାଶରେ ଭାରତର ଦୀର୍ଘକାଳୀନ ମହତ୍ୱାକାଂକ୍ଷାକୁ ସ୍ପଷ୍ଟ ଭାବେ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ୨୦୩୫ ସୁଦ୍ଧା ଏକ ଭାରତୀୟ ମହାକାଶ କେନ୍ଦ୍ର ପ୍ରତିଷ୍ଠା ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ରରେ ପ୍ରଥମ ଭାରତୀୟଙ୍କ ଅବତରଣ ସାମିଲ ରହିଛି। ମାନବ-ରେଟେଡ୍ ଏଲଭିଏମ ଥ୍ରୀ ଯାନ, କ୍ରୁ ଏସ୍କେପ ସିଷ୍ଟମ୍ ଓ କ୍ରୁ ମଡ୍ୟୁଲ୍ ଏବଂ ସର୍ଭିସ୍ ମଡ୍ୟୁଲ୍ ସମସ୍ତ ପରୀକ୍ଷା ଏବଂ ଏକୀକରଣର ଶେଷ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ଚଳିତ ବର୍ଷ ଶେଷରେ ଉତକ୍ଷେପଣ ହେବାକୁ ଥିବା ମାନବବିହୀନ କକ୍ଷପଥ ଗଗନଯାନ ମିଶନ ସଠିକ୍ ଦିଗରେ ଗତି କରୁଛି। ଭାରତୀୟ ନୌସେନା ସହିତ ରିକଭରୀ ଟ୍ରାଏଲ୍ ପୂର୍ବରୁ ଅନୁଷ୍ଠିତ ହୋଇଛି ଏବଂ ଅଧିକ ସମୁଦ୍ର ରିକଭରୀ ସିମୁଲେସନ୍ ଯୋଜନା କରାଯାଇଛି।