ଆମେରିକାରେ ଭାରତୀୟ ମହିଳାଙ୍କୁ ହତ୍ୟା

ନୂଆଦିଲ୍ଲୀ: ଆମେରିକାରେ ଭାରତୀୟ ମହିଳାଙ୍କୁ ହତ୍ୟା । ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି । ମୃତକଙ୍କୁ ମେରିଲ୍ୟାଣ୍ଡର ଏଲିକୋଟ ସିଟିର ବାସିନ୍ଦା ନିକିତା ଗୋଡିଶା (୨୭) ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ନିକିତା ଜାନୁଆରୀ ୨ ତାରିଖରୁ ନିଖୋଜ ଥିବା ରିପୋର୍ଟ ହୋଇଥିଲା । ତାଙ୍କର ପୂର୍ବତନ ପ୍ରେମିକ ଅର୍ଜୁନ ଶର୍ମା ନିଖୋଜ ନେଇ ଥାନାରେ ରିପୋର୍ଟ କରିଥିଲେ । ରିପୋର୍ଟ ଦାଖଲ ହେବା ପରେ ପୋଲିସ ତଦନ୍ତ କରିବା ସମୟରେ ଗତକାଲି ନିକିତାଙ୍କ ମୃତଦେହ ତାଙ୍କ ପୂର୍ବତନ ପ୍ରେମିକ ଅର୍ଜୁନଙ୍କ କଲମ୍ବିଆର ଆପାର୍ଟମେଣ୍ଟରୁ ଉଦ୍ଧାର କରିଥିଲା । ମୃତଦେହରେ ଛୁରୀରେ ଆକ୍ରମଣ କରିଥିବାର କ୍ଷତ ଚିହ୍ନ ଥିବା ଜଣା ପଡିଛି । ପୋଲିସ ହତ୍ୟା ଅଭିଯୋଗରେ ଅର୍ଜୁନ ଶର୍ମାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି । ଅଭିଯୁକ୍ତ ଅର୍ଜୁନ ନିକିତାଙ୍କୁ ହତ୍ୟା କରିବା ପରେ ନିଖୋଜ ରିପୋର୍ଟ ଦାଖଲ କରି ଭାରତ ଫେରି ଯାଇଥିବା ଜଣାପଡିଛି । ଅର୍ଜୁନ ଜାନୁଆରୀ ୨ ତାରିଖରେ ନିଖୋଜ ରିପୋର୍ଟରେ ନିକିତାଙ୍କୁ ଶେଷ ଥର ପାଇଁ ଡିସେମ୍ବର ୩୧ ତାରିଖରେ ତାଙ୍କ ଆପାର୍ଟମେଣ୍ଟରେ ଦେଖିଥିଲେ ବୋଲି ଉଲ୍ଲେଖ କରିଥିଲେ । ତଦନ୍ତକାରୀମାନେ ବିଶ୍ୱାସ କରୁଛନ୍ତି ଯେ ଶର୍ମା ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୭ଟା ସମୟରେ ନିକିତାଙ୍କୁ ହତ୍ୟା କରିଥିଲେ । ହାୱାର୍ଡ କାଉଣ୍ଟି ପୋଲିସ କହିଛି ଯେ ହତ୍ୟାର କାରଣ ବର୍ତ୍ତମାନ ଅସ୍ପଷ୍ଟ ଏବଂ ସେମାନେ ଶର୍ମାଙ୍କୁ ଖୋଜିବା ଏବଂ ଗିରଫ କରିବା ପାଇଁ ଆମେରିକୀୟ ଫେଡେରାଲ୍ ଆଇନ ପ୍ରବର୍ତ୍ତନ ଏଜେନ୍ସି ସହିତ ମିଳିତ ଭାବେ କାମ କରୁଛନ୍ତି । ୱାଶିଂଟନରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛି ଯେ ସେମାନେ ଗୋଡିଶାଙ୍କ ପରିବାର ସହିତ ଯୋଗାଯୋଗରେ ଅଛନ୍ତି ଏବଂ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି । ଏହି ପ୍ରସଙ୍ଗରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ଯୋଗାଯୋଗରେ ମଧ୍ୟ ଅଛୁ ବୋଲି ଭାରତୀୟ ଦୂତାବାସ କହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button