ପ୍ରଚଣ୍ଡ ପ୍ରହାର କରିବ ଭାରତ: ତିନି ସେନାବାହିନୀକୁ ମିଳିଲା ପୂର୍ଣ୍ଣ କ୍ଷମତା

ନୂଆଦିଲ୍ଲୀ : ପ୍ରତ୍ୟେକ ମାସର ଶେଷ ରବିବାର ଭଳି ଆଜି (ରବିବାର) ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ରେଡିଓ ଭିତ୍ତିକ କାର୍ଯ୍ୟକ୍ରମ ମନ୍ କି ବାତ୍’ର ୧୨୧ତମ ସଂସ୍କରଣ ନେଇ ଦେଶବାସୀଙ୍କ ପାଖରେ ଉପସ୍ଥିତ ହୋଇଛନ୍ତି। କିନ୍ତୁ ଏଥର ସେ ନିଜ ସହ ୧୪୦ କୋଟି ଦେଶବାସୀଙ୍କ ଦୁଃଖଭରା ମନର କଥା କହିଛନ୍ତି। ଜମ୍ମୁ କାଶ୍ମୀରର ପହଲଗାମ୍ ଠାରେ ୨୭ ନୀରିହ ଲୋକଙ୍କୁ ଆତଙ୍କବାଦୀ ଗୁଳିକରି ହତ୍ୟା କରିବା ଘଟଣାକୁ ନେଇ ସମଗ୍ର ବିଶ୍ୱ ଯେତେବେଳେ ଶୋକପାଳନ କରୁଛି ସେତେବେଳେ ମୋଦୀ ସମଗ୍ର ଦେଶବାସୀଙ୍କୁ ଏକ ପ୍ରତିଶ୍ରୁତି ଦେବାକୁ ଆଗେଇ ଆସିଛନ୍ତି। ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ସମବେଦନା ରହିଛି। ଯେଉଁମାନେ ଏହି ଆକ୍ରମଣରେ ନିଜ ପରିବାରର ଲୋକଙ୍କୁ ହରାଇଛନ୍ତି, ସମଗ୍ର ଦେଶବାସୀ ସେମାନଙ୍କ ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିଜ କାର୍ଯ୍ୟକ୍ରମ ମାଧ୍ୟମରେ ପହଲଗାମ୍ ଘଟଣାରେ ମୃତାହତ ପରିବାରଙ୍କୁ ପ୍ରତିଶ୍ରୂୁତି ଦେଇ କହିଛନ୍ତି ଯେ, ସେମାନଙ୍କୁ ନିଶ୍ଚିତ ନ୍ୟାୟ ମିଳିବ। ଘଟଣା ପାଇଁ ଦାୟୀ ଆତଙ୍କବାଦୀ ଏବଂ ଏହାପଛରେ ଥିବା ମାଷ୍ଟରମାଇଣ୍ଡକୁ କଠୋର ଜବାବ ଦିଆଯିବ। ଆତଙ୍କବାଦ ବିରୋଧୀ ଆମ ଲଢ଼େଇରେ ୧୪୦ କୋଟି ଭାରତୀୟଙ୍କ ସହିତ ସାରା ବିଶ୍ୱ ଛିଡ଼ା ହୋଇଛି। ଆତଙ୍କୀ ଆକ୍ରମଣର ଛବିକୁ ଦେଖି ସବୁ ଭାରତୀୟଙ୍କ ରକ୍ତ ଗରମ ହୋଇଯାଇଛି। ଏହି ଆକ୍ରମଣ ଆତଙ୍କବାଦୀଙ୍କ ଭୀରୁତାକୁ ଦର୍ଶାଉଛି। ଯେତେବେଳେ କାଶ୍ମୀରରେ ଶାନ୍ତି ଫେରୁଥିଲା, ଗଣତନ୍ତ୍ର ମଜଭୁତ ହେଉଥିଲା, ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ପାଉଥିଲା, ଲୋକଙ୍କ ରୋଜଗାର ବଢ଼ୁଥିଲା, ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ପ୍ରସ୍ତୁତ ହେଉଥିଲା, ସେହି ସମୟରେ ଦେଶର ଶତ୍ରୁଙ୍କୁ ଜମ୍ମୁ-କାଶ୍ମୀରର ଶତ୍ରୁଙ୍କୁ ଏହା ବରଦାସ୍ତ ହେଲାନି। ଆତଙ୍କବାଦୀ ଓ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଶକ୍ତିମାନେ ଚାହାଁନ୍ତି ଯେ, କାଶ୍ମୀର ପୁଣିଥରେ ଧ୍ୱଂସ ହେଇଯାଉ। କିନ୍ତୁ ସେମାନେ ୧୪୦ କୋଟି ଭାରତୀୟଙ୍କ ଏକତାର ଶକ୍ତିକୁ ଜାଣିନାହାନ୍ତି। ଏହି ଏକତା, ଆତଙ୍କବାଦ ବିରୁଦ୍ଧରେ ଆମର ନିର୍ଣ୍ଣାୟକ ସଂଗ୍ରାମର ଆଧାର। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଦୁଇଦିନ ପୂର୍ବେ ଦେଶର ଜଣେ ମହାନ ବୈଜ୍ଞାନିକ ଡ. କେ. କସ୍ତୁରୀରଙ୍ଗନ୍ଙ୍କ ଦେହାନ୍ତ ହୋଇଥିବା ସମ୍ପର୍କରେ ମଧ୍ୟ କହିଛନ୍ତି। ମୋଦୀ କହିଛନ୍ତି, ସେ ଯେତେବେଳେ କସ୍ତୁରୀରଙ୍ଗନଙ୍କୁ ଭେଟନ୍ତି, ସେତେବେଳେ ଦେଶର ଯୁବପିଢ଼ିଙ୍କ ପ୍ରତିଭା, ଆଧୁନିକ ଶିକ୍ଷା, ମହାକାଶ ବିଜ୍ଞାନ ଭଳି ବିଷୟରେ ଆଲୋଚନା କରନ୍ତି। ବିଜ୍ଞାନ, ଶିକ୍ଷା ଏବଂ ଭାରତର ମହାକାଶ କାର୍ଯ୍ୟକ୍ରମକୁ ନୂଆ ଦିଗ ଦେବାରେ ଡ. କସ୍ତୁରୀରଙ୍ଗନଙ୍କ ଯୋଗଦାନକୁ ଦେଶ ସର୍ବଦା ସ୍ମରଣ କରିବ। ତାଙ୍କ ନେତୃତ୍ୱରେ ଇସ୍ରୋକୁ ଏକ ନୂଆ ପରିଚୟ ମିଳିଛି। ମୋଦୀ ଏହି ଅବସରରେ ଚନ୍ଦ୍ରାୟନ ମିଶନ ସହ ଇସ୍ରୋର ଅନେକ ସଫଳତା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେ ମୋଦୀ ଗତ ମାସ ମ୍ୟାଁମାରରେ ଘଟିଥିବା ଭୂମିକମ୍ପର ଭୟାବହ ଘଟଣା ସମ୍ପର୍କରେ ମଧ୍ୟ ଏଠାରେ ସୂଚନା ଦେଇଛନ୍ତି। ଭାରତ କିପରି ଅପରେସନ୍ ବ୍ରହ୍ମା’ ନାମରେ ମିଆଁମାରକୁ ସହାୟତା କରିପାରିଛି, ଏନ୍ଡିଆରଏଫ୍ ଟିମ୍ କିପରି ସେଠାରେ ଉଦ୍ଧାର କାର୍ଯ୍ୟକୁ ସଫଳତାପୂର୍ବକ ତୁଲାଇଥିଲେ ସେସବୁ ସମ୍ପର୍କରେ ମଧ୍ୟ ମୋଦୀ କହିଛନ୍ତି। ଏହି ଅବସରରେ ମୋଦୀ ଏକ ଭିନ୍ନ ମୋବାଇଲ୍ ଆପ୍ ‘ସଚେତ୍’ ସମ୍ପର୍କରେ ସୂଚନା ଦେଇଛନ୍ତି। ମୋଦୀ କହିଛନ୍ତି, ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଷୟ ଆସେ ଏବଂ ସେତେବେଳେ ଏହାର ମୁକାବିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଯାଇଥାଏ। ସତର୍କତା ହିଁ ସଚେତନତା। ଏହି ସତର୍କତାରେ ଏବେ ମୋବାଇଲ୍ର ଏକ ସ୍ୱତନ୍ତ୍ର ଆପ୍ ସାହାଯ୍ୟ କରିପାରିବ। ଏହି ଆପ୍ ଆପଣଙ୍କୁ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ଫସି ରହିବାଠାରୁ ରକ୍ଷା କରିପାରିବ। ‘ସଚେତ୍’ ଆପ୍କୁ ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବା (ଏନ୍ଡିଏମ୍ଏ) ପ୍ରସ୍ତୁତ କରିଛି । ବନ୍ୟା, ଘୂର୍ଣ୍ଣିବାତ୍ୟା, ଭୂସ୍ଖଳନ, ସୁନାମି, ବନାଗ୍ନି, ହିମସ୍ଖଳନ, ଝଡ଼ତୋଫାନ କିମ୍ବା ବଜ୍ରପାତ ଭଳି ବିପର୍ଯ୍ୟୟ ହେଉ, ସଚେତ୍ ଆପ୍ ଆପଣଙ୍କୁ ସବୁ ପ୍ରକାର ସୂଚନା ଦେଇ ଓ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଥାଏ। ଏହି ଆପ୍ ମାଧ୍ୟମରେ ପାଣିପାଗ ବିଭାଗ ସହିତ ଜଡ଼ିତ ତାଜା ସୂଚନା ମିଳିପାରିବ। ବିଶେଷ କଥା ହେଉଛି ‘ସଚେତ୍’ ଆପ୍ ଆଞ୍ଚଳିକ ଭାଷାରେ ମଧ୍ୟ ଅନେକ ସୂଚନା ଉପଲବ୍ଧ କରାଇବ। ମୋଦୀ ନିଜ ମନ କି ବାତ୍ କାର୍ଯ୍ୟକ୍ରରେ ଚମ୍ପାରନ୍ ସତ୍ୟାଗ୍ରହ, ଦାଣ୍ଡିଯାତ୍ରା, ଜାଲିଆନାୱାଗ୍ ହତ୍ୟାକାଣ୍ଡ ଆଦି ସମ୍ପର୍କରେ ମଧ୍ୟ କହିଥିଲେ। ମୋଦୀ ‘ଏକ ପେଡ୍ – ମା’ କେ ନାମ୍’ ନାରା ଏବେ ଦେଶବାସୀଙ୍କ ମଧ୍ୟରେ ଏକ ଜାଗରଣ ସୃଷ୍ଟି କରିଛି ବୋଲି କହିଛନ୍ତି। ଶେଷରେ ପୃଥିବୀର ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପାଇଁ ଜଳବାୟୁ ପରିବର୍ତ୍ତନର ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ନିମନ୍ତେ ଏବଂ ନିଜର ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଅନ୍ତତଃ ନିଜ ମା’ଙ୍କ ଉଦ୍ଦେଶ୍ୟରେ ନିଶ୍ଚୟ ଏକ ଗଛ ଲଗାନ୍ତୁ ବୋଲି ମୋଦୀ ସମସ୍ତ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି। ସେହିପରି କର୍ଣ୍ଣାଟକର ବାଗଲକୋଟର କୁଲାଲୀ ଗ୍ରାମର ସ୍ଥାୟୀ ବାସିନ୍ଦା ଶୈଳ ତେଲୀ ସମତଳ ଭୂମିରେ ତଥା ୩୫ ଡିଗ୍ରୀରୁ ଅଧିକ ତାପମାତ୍ରାରେ ମଧ୍ୟ ସେଓ ଉତ୍ପାଦନ କରୁଥିବା ଏବଂ ଏହା ତାଙ୍କ ଆର୍ଥିକ ସ୍ୱଚ୍ଛଳତାକୁ ଆହୁରି ଅଧିକ ସ୍ୱଚ୍ଛଳ କରୁଥିବା ସମ୍ପକରେ ମଧ୍ୟ ମୋଦୀ ସୂଚନା ଦେଇଛନ୍ତି। ସେହିପରି କିନ୍ନୌରରେ ଏବେ କେସର ଉତ୍ପାଦନ କରାଯାଉଥିବା ସମ୍ପର୍କରେ ମୋଦୀ କହିଛନ୍ତି।