ଇଣ୍ଡିଆ ବୈଠକ, ଯୋଗ ଦେଲେନି ଦିଦି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପିକୁ ମାତ୍ ଦେବାକୁ ଏକାଠି ହୋଇଥିବା ବିରୋଧୀ ଦଳ ଇଣ୍ଡିଆ ମେଣ୍ଟର ବୈଠକ ଆଜି ଭର୍ଚୁଆଲ ମୋଡରେ  ବସିଛି । ମେଣ୍ଟର ପ୍ରମୁଖ ସଦସ୍ୟମାନେ ଭିସି ଯୋଗେ ଏଥିରେ ଯୋଗ ଦେଇଛନ୍ତି । ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରୁ ନିଜକୁ ଦୂରେଇ ରଖିଛନ୍ତି । ଆଜିର ବୈଠକରେ ସିଟ୍ ଭାଗବଣ୍ଟା ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବାକୁ ଥିବାବେଳେ ମମତା ଏଥିରେ ଯୋଗ ଦେଇନାହାନ୍ତି । ତେବେ ପଶ୍ଚିମବଙ୍ଗରେ କଂଗ୍ରେସ ଓ ଟିଏମସି ମଧ୍ୟରେ ଆସନ ବୁଝାମଣା ନେଇ ବିବାଦ ଯୋଗୁଁ ସେ ବୈଠକରେ ସାମିଲ ହୋଇନଥିବା ଚର୍ଚ୍ଚା ହେଉଛି ।

ବିରୋଧୀ ମେଣ୍ଟର ବୈଠକ ପୂର୍ବରୁ ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ନେତା କହିଥିଲେ ଯେ, ବୈଠକରେ ସାମିଲ ନହେବାର ଅନେକ କାରଣ ରହିଛି । ସେଥିମଧ୍ୟରୁ ଗୋଟିଏ ହେଲା, ଭର୍ଚୁଆଲ ବୈଠକ ସମ୍ପର୍କରେ ଶୁକ୍ରବାର ଅପରାହ୍ନରେ ଶେଷ ମୁହୂର୍ତ୍ତରେ ଟିଏମସିକୁ ସୂଚୀତ କରାଯାଇଥିଲା । ଯେହେତୁ ସେ (ମମତା ବାନାର୍ଜୀ) ଜଣେ ମୁଖ୍ୟମନ୍ତ୍ରୀ, ତେଣୁ ତାଙ୍କର ଅନେକ ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟକ୍ରମ ରହିଛି । ଶେଷ ମୁହୂର୍ତ୍ତରେ ତାଙ୍କୁ ଜଣାଇଲେ ସେ ନିଜର ପୂର୍ବ କାର୍ୟ୍ୟକ୍ରମଗୁଡିକୁ ପରିବର୍ତ୍ତନ କରିପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭର୍ଚୁଆଲ ବୈଠକର ଏଜେଣ୍ଡା ସଂକ୍ରାନ୍ତରେ ପୂର୍ବରୁ ତୃଣମୂଳ କଂଗ୍ରେସକୁ କିଛି କୁହାଯାଇ ନାହିଁ । ଯେତେବେଳେ ଏଜେଣ୍ଡା ହିଁ ସ୍ପଷ୍ଟ ନାହିଁ, ସେତେବେଳେ ବୈଠକ ଡାକିବାର କିଛି ଅର୍ଥ ନାହିଁ ବୋଲି ଟିଏମସି ନେତା କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button