ମହାକାଶରୁ ଭାରତ ବହୁତ ସୁନ୍ଦର ଦେଖାଯାଉଥିଲା, ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କଲି : ସୁନୀତା ୱିଲିୟମ୍ସ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ୍ ୱିଲମୋର ମହାକାଶରୁ ଫେରିବା ପରେ ପ୍ରଥମ ଥର ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ମହାକାଶଯାନକୁ ପୃଥିବୀକୁ ଫେରାଇ ଆଣିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏଲନ ମସ୍କଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସାମ୍ବାଦିକ ସମ୍ମିଳନୀ ସୁନୀତା କହିଛନ୍ତି, ଭାରତ ଏକ ସୁନ୍ଦର ରାଷ୍ଟ୍ର। ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲି । ମହାକାଶରେ ରହିବା ଦ୍ବାରା ଅନେକ ଶାରୀରିକ ସମସ୍ୟା ଦେଖାଦେଇଥିଲେ । ମହାକାଶରେ ଥିବାବେଳେ ଯେତେବେଳେ ବି ଭାରତ ଉପରେ ଦେଇ ଯାଉଥିଲି, ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲି । ହିମାଳୟ ପାଦଦେଶ, ଜମ୍ମୁକାଶ୍ମୀର ଠାରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର ଆଦି ଅନେକ ସ୍ଥାନର ଫଟୋ ମହାକାଶରୁ ଉଠାଇଛି । ଇସ୍ରୋ ସହ ମିଶି କାମ କରିବାର ସୁଯୋଗ ମିଳିଲେ ନିଶ୍ଚିତ ଭାବେ କରିବେ ବୋଲି କହିଛନ୍ତି ସୁନୀତା । ସୁନୀତାଙ୍କୁ ପୃଥିବୀକୁ ଫେରିବା ପରେ ପ୍ରଥମେ କ’ଣ କରିବାକୁ ଚାହୁଁଥିଲେ ବୋଲି ପ୍ରଶ୍ନ ପଚରାଯାଇଥିଲା ? ନଅ ମାସ ପରେ ଆପଣ ପ୍ରଥମେ ଖାଇବାକୁ ଚାହୁଁଥିବା କୌଣସି ଖାଦ୍ୟ ଅଛି କି ? ଏହାର ଉତ୍ତର ଦେଇ ସୁନିତା ୱିଲିୟମ୍ସ କହିଥିଲେ, ମୁଁ ମୋ ସ୍ୱାମୀ ଓ ମୋର କୁକୁରଙ୍କୁ ଆଲିଙ୍ଗନ କରିବାକୁ ଚାହୁଁଥିଲି । ଘରକୁ ଫେରିବା ପରେ ମୁଁ ପ୍ରଥମେ ଏକ ଭଲ ଗ୍ରୀଲ୍ଡ ପନିର ସାଣ୍ଡୱିଚ୍ ଖାଇଥିଲି । ଯାହା ମୋତେ ଘର ଭଳି ଅନୁଭବ କରାଇଥିଲା । ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୯ ମାସରୁ ଅଧିକ ସମୟ ଧରି ଫସି ରହିଥିବା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ବୁଧବାର ଭାରତୀୟ ସମୟ ଭୋର ୩ଟା ୨୭ ମିନିଟ୍ରେ ଫ୍ଲୋରିଡା ନିକଟ ସମୁଦ୍ରରେ ସୁରକ୍ଷିତ ଭାବେ ଅବତରଣ କରିଥିଲେ । ସେମାନଙ୍କ ସହିତ ଆଉ ଦୁଇ ମହାକାଶଚାରୀ ନିକ୍ ହେଗ୍ ଓ ଆଲେକଜାଣ୍ଡର ଗ୍ରିବୟୋଙ୍କି ମଧ୍ୟ ପୃଥିବୀକୁ ଫେରିଥିଲେ । ମହାକାଶରେ ୨୮୬ ଦିନ ରହିଥିବା ବେଳେ ସୁନୀତା ଏବଂ ବୁଚ ୱିଲମୋରଙ୍କୁ ଦେୟ ବାବଦରେ ମୋଟ ୧,୪୩୦ ଡଲାର ମିଳିଥିଲା ।