ଆମେରିକା, ଚୀନ୍ ଓ ରୁଷ୍ ସହ ସମକକ୍ଷ ହେଲା ଭାରତ: ସାମ୍ନାକୁ ଆଣିଲା ଶକ୍ତିଶାଳୀ ଲେଜର୍ ବେସଡ୍ ୱିପନ୍

ନୂଆଦିଲ୍ଲୀ : ଭାରତ ପ୍ରଥମ ଥର ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଶକ୍ତିଶାଳୀ ଲେଜର୍ ବେସଡ୍ ୱିପନ୍କୁ ପ୍ରଦର୍ଶନ କରିଛି । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆର୍ଡିଓ) ଦ୍ୱାରା ନିର୍ମିତ ଏହି ଲେଜର୍ ବିମ୍ଡ୍ ୱିପନ୍, ଶତ୍ରୁପକ୍ଷର ଡ୍ରୋନ୍ ହେଉ କିମ୍ବା ଫିକ୍ସଡ୍ ୱିଙ୍ଗ୍ ଏୟାରକ୍ରାଫ୍ଟ ଏସବୁକୁ ନିମିଷକେ ମାରି ଖସାଇବାର ସାମର୍ଥ୍ୟ ରଖୁଛି । ଡିଆର୍ଡିଓର ଏହି ଅତ୍ୟାଧୁନିକ ୱିପନ୍ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ଅଧିକ ସୁଦୃଢ଼ କରିଥିବା ବେଳେ ଭାରତ ଏବେ ଆମେରିକା, ଚୀନ୍ ଓ ରୁଷ୍ ଭଳି ସାମରିକ ଶକ୍ତି ସମ୍ପନ୍ନ ତଥା ଉଚ୍ଚ ଶକ୍ତିଶାଳୀ ଲେଜର୍ (ଡିଇଡବ୍ଲ୍ୟୁ) ୱିପନ୍ ସମ୍ପନ୍ନ ରାଷ୍ଟ୍ରଙ୍କ ସହ ସମକକ୍ଷ ହୋଇପାରିଛି । ରବିବାର କରାଯାଇଥିବା ପରୀକ୍ଷଣରେ ଏହି ଲେଜର୍ ବେସଡ୍ ୱିପନ୍ ଏକ ସିଷ୍ଟମ୍ ଡ୍ରୋନ୍କୁ ଟ୍ରାକ୍ କରିବା ସହ ସମ୍ପୂର୍ଣ୍ଣ ସଠିକ୍ ଟାର୍ଗେଟ୍ ହିଟ୍ କ୍ଷମତାର ପ୍ରମାଣ ଦେଇଛି । ଡିଆର୍ଡିଓ ଅଧ୍ୟକ୍ଷ ଡ. ସମୀର ଭି କାମାତ୍ ଗଣମାଧ୍ୟମକୁ ଏହି ୱିପନ୍ ସିଷ୍ଟମ୍ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହା କେବଳ ଯାତ୍ରାର ଆରମ୍ଭ ମାତ୍ର । ଡିଆର୍ଡିଓ ଅନେକ ପ୍ରଯୁକ୍ତିବିଦ୍ୟା ଉପରେ କାମ କରୁଛି ‘ଯାହା ଆମକୁ ଷ୍ଟାର୍ ୱାର୍ସ କ୍ଷମତା ଦେବ ।’ ଏହାର ଭାରତର ପ୍ରଥମ ଭବିଷ୍ୟତବାଦୀ \”ଷ୍ଟାର ୱାର୍ସ’ ଲେଜର୍ ଅସ୍ତ୍ର, ଯାହାକି ବେଶ୍ ଶକ୍ତିଶାଳୀ । ଏହି ଲେଜର୍ ବେସଡ୍ ୱିପନ୍ କେବଳ ଟାର୍ଗେଟ୍କୁ ହିଟ୍ କରି ଏହାକୁ ଧ୍ୱଂସ କରିନଥାଏ ବରଂ ଏହାର ସଂରଚନାତ୍ମକ ଢାଞ୍ଚା ଏବଂ ନିରୀକ୍ଷଣ ସେନ୍ସର୍କୁ ମଧ୍ୟ ନିଷ୍କ୍ରିୟ କରିଥାଏ । ଏହି ପ୍ଲାଟ୍ଫର୍ମ ଭାରତର ସଶସ୍ତ୍ର ବାହିନୀ ପାଇଁ ଏକ ବଡ଼ ପରିବର୍ତ୍ତନକାରୀ ସୁଯୋଗ ଆଣିବ ।