ଆର୍ଥିକ ସ୍ୱାବଲମ୍ବନ ଏବଂ ସ୍ୱାୟତ୍ତତା ହାସଲ କରିବା ଲାଗି ଆତ୍ମନିର୍ଭର ହେଉଛି ଭାରତ: ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ବିବେକ ଦେବରାୟ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଏବଂ ଜଣେ ପ୍ରବୀଣ ଲେଖକ ଥିଲେ। ସେ ଭାରତକୁ ଯୋଜନା ଆଧାରିତ ଅର୍ଥବ୍ୟବସ୍ଥାରୁ ବଜାର ଆଧାରିତ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ବୋଲି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-2 ଶକ୍ତିକାନ୍ତ ଦାସ। ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନେସନାଲ ସେଣ୍ଟର ଠାରେ ବିବେକ ଦେବରାୟ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ଦାସ କହିଛନ୍ତି, ସ୍ବର୍ଗତ ଦେବରାୟ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ, ନୀତି ଆୟୋଗ ସଦସ୍ୟ ଭଳି ବହୁ ପ୍ରମୁଖ ପଦବୀରେ କାର୍ଯ୍ୟ କରିଥିଲେ। ତାଙ୍କର କାର୍ଯ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୀର୍ଘକାଳୀନ ଅଭିବୃଦ୍ଧି ରଣନୀତି ଓ ନୀତିଗତ ସଂସ୍କାରକୁ ପ୍ରଭାବିତ କରିଥିଲା। ସେ ଶିକ୍ଷାବିତ୍ ଏବଂ ନୀତି ନିର୍ଦ୍ଧାରଣକାରୀ ମଧ୍ୟରେ ସମନ୍ୱୟ ସ୍ଥାପନ କରିଥିଲେ ଏବଂ ଅର୍ଥନୀତି, ଆଇନ ଓ ସାହିତ୍ୟ ଉପରେ ବ୍ୟାପକ ଭାବେ ଲେଖିଥିଲେ ବୋଲି ଶ୍ରୀ ଦାସ କହିଛନ୍ତି। ଶ୍ରୀ ଦାସ ଆହୁରି କହିଛନ୍ତି, କେବଳ ଅର୍ଥନୀତି ନୁହେଁ ବେଦ, ରାମାୟଣ, ମହାଭାରତ ଏବଂ ଭଗବଦ୍ ଗୀତା ଉପରେ ମଧ୍ୟ ବିବେକ ଦେବରାୟ ଅନେକ ପ୍ରଭାବୀ ରଚନା ଲେଖିଯାଇଛନ୍ତି। ସାହିତ୍ୟ, ଶିକ୍ଷା ଏବଂ ଜନନୀତି କ୍ଷେତ୍ରରେ ଯୋଗଦାନ ପାଇଁ ତାଙ୍କୁ 2025ରେ ମରଣୋତ୍ତର ଭାବେ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏସବୁ ଅସାଧାରଣ ଉପଲବ୍ଧି ସତ୍ତ୍ୱେ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ଏବଂ ସଚ୍ଚୋଟତା ପାଇଁ ସେ ପରିଚିତ ଥିଲେ। ଏହି କାର୍ଯ୍ୟକ୍ରମରେ ‘‘ଭାରତୀୟ ଅର୍ଥବ୍ୟବସ୍ଥା; ବର୍ଦ୍ଧିତ ବିଶ୍ୱସନୀୟତାର ଏକ କାହାଣୀ ଶୀର୍ଷକ’’ ବିଷୟବସ୍ତୁ ଉପରେ ମତ ରଖି ଶକ୍ତିକାନ୍ତ ଦାସ କହିଛନ୍ତି, ବର୍ତ୍ତମାନ ଆମେ ଏପରି ଏକ ବିନ୍ଦୁରେ ଛିଡ଼ା ହୋଇଛୁ, ଯେଉଁଠି ପରିବର୍ତ୍ତିତ ଭୂରାଜନୈତିକ ଏବଂ ବାଣିଜ୍ୟ ନୀତି ବିଶ୍ୱ ଅର୍ଥବ୍ୟବସ୍ଥାକୁ ଏକ ନୂଆ ଆକାର ଦେଉଛି। ପାରମ୍ପରିକ ବହୁପକ୍ଷବାଦ ବର୍ତ୍ତମାନ ଚାପରେ ରହିଛି। ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା, ଆତ୍ମସୁରକ୍ଷା ଏବଂ ବିଭାଜନ କାରଣରୁ ବିଶ୍ୱବ୍ୟାପୀ ଅସ୍ଥିରତା ସୃଷ୍ଟି ହୋଇଛି। ପୂର୍ବରୁ ଜଗତିକରଣର ନିରପେକ୍ଷ ବାହକ ପାଲଟିଥିବା ବାଣିଜ୍ୟ ଓ ଯୋଗାଣ ଶୃଙ୍ଖଳ ଏବେ ବାଧା ଏବଂ ଆଧିପତ୍ୟର ଉପକରଣ ରୂପେ ବ୍ୟବହୃତ ହେଉଛି। ସେମିକଣ୍ଡକ୍ଟର, ବିରଳ ମୃତ୍ତିକା, ଶକ୍ତି ଏବଂ ଔଷଧ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ବର୍ତ୍ତମାନ ପ୍ରଭାବ ବିସ୍ତାର କରିବାର ଉପକରଣ ରୂପେ ବ୍ୟବହାର କରାଯାଉଛି । ଏହା ବିଶ୍ୱରେ ଅନିଶ୍ଚିତତା ସୃଷ୍ଟି କରିବା ସହିତ ବାଣିଜ୍ୟିକ ମାନ୍ଦାବସ୍ଥାକୁ ଡାକି ଆଣିଛି। ଯୋଗାଣ ଶୃଙ୍ଖଳ ନୂଆ ରୂପ ନେଇଥିବା ବେଳେ ବହୁପକ୍ଷୀୟ ବିଶ୍ୱ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବହୀନ ହୋଇପଡ଼ିଛି। ବହୁପାକ୍ଷିକ ସହଯୋଗ ହାସଲ କରିବା କଷ୍ଟକର ହୋଇପଡ଼ିଥିବା ବେଳେ ମୁକ୍ତ ବାଣିଜ୍ୟର ସିଦ୍ଧାନ୍ତ ଏବେ ସୁରକ୍ଷାବାଦ ଏବଂ ଆଞ୍ଚଳିକ ଗୋଷ୍ଠୀ ଦ୍ୱାରା ପ୍ରଭାବିତ ହୋଇଛି।



