ଜାତିସଂଘ ମାନବାଧିକାର ପରିଷଦରେ ସ୍ୱିଜରଲ୍ୟାଣ୍ଡକୁ ଦୃଢ଼ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ଭାରତରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ବ୍ୟବହାର ସମ୍ପର୍କରେ ସ୍ୱିଜରଲ୍ୟାଣ୍ଡର ପ୍ରତିନିଧି ମନ୍ତବ୍ୟ ଦେବା ପରେ ଭାରତ କଡ଼ା ଜବାବ ଦେଇଛି। ‘‘ସଂଖ୍ୟାଲଘୁଙ୍କ ସୁରକ୍ଷା’’ ପାଇଁ ସ୍ୱିଜରଲ୍ୟାଣ୍ଡ ଭାରତକୁ ପରାମର୍ଶ ଦେବା ପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଦିଆଯାଇଛି। ଭାରତ ଏହି ୟୁରୋପୀୟ ଦେଶକୁ ନିଜ ମାଟିରେ ଥିବା ବ୍ୟାପକ ଭେଦଭାବ ସମସ୍ୟା ସମ୍ପର୍କରେ ସ୍ମରଣ କରାଇ ଦେଇଛି। ଜେନେଭାସ୍ଥିତ ଜାତିସଂଘ ମାନବାଧିକାର ପରିଷଦଠାରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଏ ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, ଆମେ ଏକ ଘନିଷ୍ଠ ବନ୍ଧୁ ଏବଂ ସହଯୋଗୀ ରାଷ୍ଟ୍ର ସ୍ୱିଜରଲ୍ୟାଣ୍ଡ ଦ୍ୱାରା ଦିଆଯାଇଥିବା ଆଶ୍ଚର୍ଯ୍ୟଜନକ, ତୁଚ୍ଛ ଏବଂ ଭୁଲ ସୂଚନାପୂର୍ଣ୍ଣ ମନ୍ତବ୍ୟର ମଧ୍ୟ ଜବାବ ଦେବାକୁ ଚାହୁଁଛୁ। ଯେହେତୁ ସ୍ୱିଜରଲ୍ୟାଣ୍ଡ ଜାତିସଂଘ ମାନବାଧିକାର ପରିଷଦର ଅଧ୍ୟକ୍ଷତା କରୁଛି, ସେଥିପାଇଁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭାରତର ବାସ୍ତବତା ସହ ନ୍ୟାୟ କରୁନଥିବା ଏଭଳି ମନଗଢ଼ା କାହାଣୀ କହି ପରିଷଦର ସମୟ ନଷ୍ଟ କରିବା ଉଚିତ୍‌ ନୁହେଁ। ଏହା ଅଧ୍ୟକ୍ଷତା କରୁଥିବା ଦେଶ ପାଇଁ ଅତ୍ୟନ୍ତ ଜରୁରୀ। ଏଭଳି କରିବା ପରିବର୍ତ୍ତେ ସ୍ୱିଜରଲ୍ୟାଣ୍ଡ ବର୍ଣ୍ଣବୈଷମ୍ୟ, ବ୍ୟବସ୍ଥିତ ଭେଦଭାବ ଏବଂ ବିଦେଶୀ ଦ୍ୱେଷ ଭଳି ନିଜ ଦେଶର ସମସ୍ୟା ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ବିଶ୍ୱର ସବୁଠୁ ବଡ଼, ସର୍ବାଧିକ ବିବିଧ ଏବଂ ସକ୍ରିୟ ଗଣତନ୍ତ୍ର ରୂପରେ ଭାରତରେ ସଭ୍ୟତାଗତ ଭାବେ ବହୁଳତାବାଦ ସମାବିଷ୍ଟ ହୋଇ ରହିଛି। ତେଣୁ ସ୍ୱିଜରଲ୍ୟାଣ୍ଡର ନିଜସ୍ୱ ସମସ୍ୟା ସମାଧାନ କରିବାରେ ସହଯୋଗ କରିବା ଲାଗି ଭାରତ ପ୍ରସ୍ତୁତ ରହିଛି ବୋଲି ଭାରତର ପ୍ରତିନିଧି କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button