ସାରା ରାଜ୍ୟରେ କାଳବୈଶାଖୀ ବର୍ଷା, ତାତିରୁ ମିଳିଲା ତ୍ରାହି

ଭୁବନେଶ୍ୱର: ସାରା ଓଡ଼ିଶା ଜଳୁଥିଲା ।  ନିଆଁ ବର୍ଷୁଥିଲା । ଦିନକରେ ପାଗ ପୂରା ଓଲଟିଗଲା । ଚୁଟ୍‌କିରେ ତାତି ଉଭାନ ହୋଇଗଲା । ଶୁକ୍ରବାର ଆଖି ଖୋଲିଲାବେଳକୁ ବାହାରେ ମେଘୁଆ ଆକାଶ, କୋହଲା ପବନ । ଦିନ ତମାମ ପାଗ ଏମିତି ରହିଲା । ମଝିରେ ମଝିରେ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ବି ହେଲା । ଏତିକିରେ ଉଡ଼ିଗଲା ତାତିର ପ୍ରକୋପ । ଦିନକରେ ତାପମାତ୍ରା  ୬ରୁ ୧୩ ଡିଗ୍ରୀ ପର୍ଯ୍ୟନ୍ତ ଖସିଗଲା । ଥଣ୍ଡା ପଡ଼ିଗଲା ସାରା ରାଜ୍ୟ । ଆଭ୍ୟନ୍ତରୀଣରୁ ଉପକୂଳ ପର୍ୟ୍ୟନ୍ତ ଆଶ୍ୱସ୍ତ ହେଲା ଜନଜୀବନ । ପାଣିପାଗ ପୂର୍ବାନୁମାନ ଯାହା, ଆସନ୍ତା ୨୫ ତାରିଖ ଯାଏଁ ପ୍ରତିଦିନ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ଆସନ୍ତା ୩ ଦିନ ଭିତରେ ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରୀ କମିପାରେ । ତା’ପରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ବଡ଼ କଥା ହେଲା, ମାସ ଶେଷ ପର୍ଯ୍ୟନ୍ତ ଆଉ ତାତି ପ୍ରକୋପ ବିଶେଷ ବଢ଼ିବା ସମ୍ଭାବନା କମ୍‌ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଶନିବାର (୨୨ ତାରିଖ) ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନ ସହ ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝରର ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କଟକ, ଜଗତସିଂହପୁର, ନବରଙ୍ଗପୁରରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ଧୂଳି ଝଡ଼ ଏବଂ ୪୦-୫୦ କିମି ବେଗରେ ପବନ ହୋଇପାରେ । କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁରରେ କୁଆପଥର ବର୍ଷିପାରେ ।୨୩ରେ କାଳବୈଶାଖୀ ପ୍ରଭାବ ଆହୁରି ବଢ଼ିବ । ଉପକୂଳର ଅନେକ ଅଞ୍ଚଳ ଓ ଆଭ୍ୟନ୍ତରୀଣର ଅଳ୍ପ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ସମଗ୍ର ଉପକୂଳ ଓ ସଂଲଗ୍ନ ଜିଲ୍ଲା ସହ ଉତ୍ତର ଓଡ଼ିଶା, ଦକ୍ଷିଣର କେତେକ ଜିଲ୍ଲାରେ ବଜ୍ରପାତ, ୪୦-୫୦ କିମି ବେଗରେ ପବନ ଆଶଙ୍କା ରହିଛି । କେତେକ ଜିଲ୍ଲାରେ କୁଆପଥର ମାଡ଼ ହୋଇପାରେ । ୨୪ ଓ ୨୫ରେ ମଧ୍ୟ କାଳବୈଶାଖୀ ବର୍ଷା ରହିବ ।

Related Articles

Leave a Reply

Your email address will not be published.

Back to top button