କିଟ ଘଟଣାରେ ୪ଟି ଦିଗ ଉପରେ ହେବ ତଦନ୍ତ: ସୂର୍ଯ୍ୟବଂଶୀ

ଭୁବନେଶ୍ୱର: କିଟ ଘଟଣାରେ ୪ଟି ଦିଗ ଉପରେ ତଦନ୍ତ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । କିଟରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଶୁକ୍ରବାର ବିଧାନସଭାରେ କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାବେଳେ ମନ୍ତ୍ରୀ ଶ୍ରୀ ସୂରଜ ଏହି ସୂଚନା ଦେଇଛନ୍ତି ।
ଏହି ୪ ଦିଗ ଉପରେ ହେବ ତଦନ୍ତ:
୧-କ’ଣ ପାଇଁ ବିଶ୍ୱବିଦ୍ୟାଳୟ ସାଇନ ଡାଏ ହୋଇଥିଲା ।
୨-ଛାତ୍ରଛାତ୍ରୀଙ୍କୁ କାହିଁକି କଟକ, ଭୁବନେଶ୍ୱର ରେଳଷ୍ଟେସନରେ ଛଡ଼ାଗଲା
୩-ନେପାଳୀ ଛାତ୍ରଛାତ୍ରୀଙ୍କୁ କାହିଁକି ମାଡ଼ ମରାଗଲା
୪-ବାରମ୍ବାର ଅଭିଯୋଗ ସତ୍ତ୍ୱେ ମୃତ ଝିଅର କାହିଁକି ଅଭିଯୋଗ ଶୁଣିଲେ ନାହିଁ କାହିଁକି
ଏହାଛଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ଭାଇରାଲ କଲ ଅଡ଼ିଓର ତଦନ୍ତ ଉନ୍ନତ ଜ୍ଞାନ କୌଶଳରେ ହେବ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୮ ଜଣଙ୍କୁ ସମନ କରାଯାଇଛି । ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିବୃତ୍ତି ରଖି ଘଟଣାକୁ ନିନ୍ଦା କରିବା ସହ ବର୍ବୋରଚିତ ବୋଲି କହିଛନ୍ତି ।ଏହାଛଡ଼ା ସେ କହିଛନ୍ତି ଯେ କିଟ ଘଟଣାକୁକୁ ନେଇ ୩ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସମେତ କେନ୍ଦ୍ର ସରକାର ଘଟଣାକୁ ଗୁରୁତର ସହ ନେଇଛନ୍ତି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି । ଯୋଗାଯୋଗରେ ରହି କେନ୍ଦ୍ର ସରକାର ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ନେଉଛନ୍ତି । ନେପାଳ କର୍ତ୍ତୃପକ୍ଷଙ୍କ ସହ ରାଜ୍ୟ ସରକାରଙ୍କ ପ୍ରତିନିଧି ବି ଆଲୋଚନା କରିଛନ୍ତି । ଏମିତିକି ଛାତ୍ରଛାତ୍ରୀଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିଥିବା ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ରାଜ୍ୟ ସରକାର ୪ଟି ୨୪ଘଣ୍ଟିଆ ହେଲ୍ପ ଲାଇନ ଜାରି କରିଛନ୍ତି । ନେପାଳ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଫେରିଆସିବାକୁ ଅନୁରୋଧ କରାଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ରିମେଡିଆଲ କ୍ଲାସ ହେବ । ମିଡ ସେମିଷ୍ଟାର ଘୁଞ୍ଚାଯିବ । ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ।