ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣା: ମର୍କତନଗର ଥାନା ପୋଲିସ ପକ୍ଷରୁ ୪ ଜଣଙ୍କୁ ଜେରା

ଭୁବନୋ୍ବର: ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାରେ ମର୍କତନଗର ଥାନା ପୁଲିସ ତଦନ୍ତକୁ ଜୋର୍ଦାର କରିଛି। ହ୍ୟୁମାନ ସାଗରଙ୍କ ଉଭୟ ଆର୍ଥିକ ଓ ସ୍ବାସ୍ଥ୍ୟଗତ ଦିଗକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏହି ମାମଲାରେ ଦୁଇ ସାକ୍ଷୀ ଓ ଦୁଇ ଅଭିଯୋଗକାରୀଙ୍କୁ ଜେରା କରାଯାଇଛି। ହ୍ୟୁମାନଙ୍କ ମୃତ୍ୟୁ ପଛରେ ଥିବା ଆର୍ଥିକ କାରବାର ସମ୍ପର୍କରେ ପଚରାଉଚରା କରାଯାଇଛି। ଏହା ସହିତ ଭୁବନେଶ୍ବର ଏମ୍ସକୁ ହ୍ୟୁମାନଙ୍କ ଅଲଟ୍ରାସାଉଣ୍ଡ, ରକ୍ତ ପରୀକ୍ଷା ରିପୋର୍ଟ, ଛାତି ଏକ୍ସ-ରେ, କାର୍ଡିଆକ୍ ଷ୍ଟାଟସ୍, କିଡ୍ନି ଷ୍ଟାଟସ୍, ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ପୁଲିସ ପକ୍ଷରୁ ଚିଠି ଲେଖାଯାଇଛି। ଏହି ରିପୋର୍ଟ ସହିତ ଡାକ୍ତରଙ୍କ ମତାମତ ବି ଲୋଡ଼ାଯାଇଛି। ୨୦୨୫ ଡିସେମ୍ବର ୨୧ରେ ହ୍ୟୁମାନଙ୍କ ମା ସେଫାଳି ସୁନା ମର୍କତନଗର ଥାନାରେ ୯ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ। ହ୍ୟୁମାନ୍ଙ୍କ ପତ୍ନୀ ଶ୍ରେୟା ମିଶ୍ର ଏବଂ ତାଙ୍କ ପରିବାର ସଦସ୍ୟ, ଡାକ୍ତର ଶୁଭେନ୍ଦୁ ମିଶ୍ର, କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଏବଂ ତାଙ୍କ ପରିବାର, ସୋମେଶ ଶତପଥୀ, ଦୀନେଶ ବେହେରା, ମହମ୍ମଦ ଅବିତ(ବବଲୁ), ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦୀଶ ମହାନ୍ତିଙ୍କ ନାମରେ ଏତଲା ଦିଆଯାଇଥିଲା। ଏହି ଅଭିଯୋଗ ଆଧାରରେ ହ୍ୟୁମାନଙ୍କ ମୃତ୍ୟୁ ପୂର୍ବରୁ ଅର୍ପିତା ଅଧିଗ୍ରହଣ କରିଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ଅର୍ପିତାଙ୍କ ସହିତ ସୋମେଶଙ୍କ ସମ୍ପର୍କ, ଭୁବନେଶ୍ବରରେ ଥିବା ଅଡ଼ିଓ ଷ୍ଟୁଡିଓର ଆର୍ଥିକ କାରବାର ଯାଞ୍ଚ ଆରମ୍ଭ ହୋଇଯାଇଛି। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ହ୍ୟୁମାନଙ୍କ ମା, ସମ୍ପର୍କୀୟ ଓ ଅଭିଯୁକ୍ତ ତାଲିକାରେ ଥିବା ଦୁଇ ଜଣଙ୍କୁ ପୁଲିସ ଜେରା କରିଛି। ହ୍ୟୁମାନଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ପୁଲିସ ପକ୍ଷରୁ ବ୍ୟାଙ୍କକୁ ମଗାଯାଇଛି। ଏହା ସହିତ ଆଇଟି ରିଟର୍ଣ୍ଣ ସମ୍ପର୍କିତ ତଥ୍ୟ ବି ମଗାଯାଇଛି। ଅର୍ପିତା ଓ ସୋମେଶଙ୍କର ବି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପାଇଁ ପୁଲିସ ପ୍ରକ୍ରିୟା ଆରମ୍ଭ କରିଛି। ଏହି ତିନି ଜଣଙ୍କ ଭିତରେ ମୁଖ୍ୟତଃ ଆର୍ଥିକ କାରବାର ହୋଇଥିଲା। ଏହି ଘଟଣାରେ ଜୋନ୍ ୩ ଏସିପି ଅନନ୍ୟା ଅସ୍ବସ୍ଥି କହିଛନ୍ତି ଯେ ପ୍ରାଥମିକ ଭାବେ ଏମ୍ସକୁ ଚିଠି ଲେଖି ଡାକ୍ତରଙ୍କ ଚିକିତ୍ସା ସମ୍ପର୍କିତ ମତାମତ ମଗାଯାଇଛି। ମେଡିକାଲ୍ ମତାମତ ଯାହା ଆସିବ ସେହି ଆଧାରରେ ତଦନ୍ତର ଅଗ୍ରଗତି ହେବ। ଅନ୍ୟପଟେ ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟ, ଆଇଟି ରିଟର୍ଣ୍ଣ ସମ୍ପର୍କିତ ତଥ୍ୟ ମଗାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।



