ରାଜ ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡିକର କାର୍ଯ୍ୟକାରିତା ସମୟରେ ଅଧିକାରୀମାନେ ମାନବିକ ଓ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରନ୍ତୁ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଅଗଷ୍ଟ ୨୩ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲ ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରିବା ଅବସରରେ ରାଜ୍ୟପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସମେତ ଉପରୋକ୍ତ ବିଭାଗମାନଙ୍କର ବରିଷ୍ଠ ଅଧିକାରୀ, ରାଜ୍ୟର ବିଭିନ୍ନ ଜିଲ୍ଲାର ଡିଏଫଓ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରଳକ୍ପ ପ୍ରଶାସକ, ଜିଲ୍ଲା କଲ୍ୟାଣ ଅଧିକାରୀ ତଥା ବିଭିନ୍ନ ପ୍ରକଳ୍ପର ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଜନଜାତିମାନଙ୍କର କଲ୍ୟାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ଉପରୋକ୍ତ ଯୋଜନା ସମ୍ପର୍କରେ ସେମାନଙ୍କୁ ସଚେତନ କରାଇ ପାରିଲେ ଯୋଜନାର ସୁଫଳ ମିଳିବ ଏବଂ ସେମାନେ ଉପକୃତ ହୋଇ ପାରିବେ। ଏଣୁ ସମ୍ପୃକ୍ତ ବିଭାଗ ତରଫରୁ ବିଭିନ୍ନ ଯୋଜନା ସମ୍ପର୍କରେ ପୁସ୍ତିକା ପ୍ରସ୍ତୁତ କରି ଜନସାଧାରଣଙ୍କୁ ବଣ୍ଟନ କରିବା ପାଇଁ ବିଭାଗୀୟ କମିଶନର ତଥା ଶାସନ ସଚିବଙ୍କୁ ରାଜ୍ୟପାଳ କହିଥିଲେ। ଏତତ ବ୍ୟତୀତ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ କିପରି ଅଧିକ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ପାରିବେ ସେ ଦିଗରେ ସକାରାତ୍ମକ ମନୋଭାବ ନେଇ ବିଭାଗୀୟ କର୍ତ୍ତୃପକ୍ଷ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି ରାଜ୍ୟପାଳ କହିଥିଲେ। ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ଜନଜାତିବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ଗୁଣାତ୍ମକ ଶିକ୍ଷା, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ଛାତ୍ରବୃତ୍ତି, ଜନଜାତି ବର୍ଗଙ୍କ ଜୀବନ ଧାରଣ ମାନର ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, ଫରେଷ୍ଟ ରାଇଟ ଆକ୍ଟ-୨୦୦୬ର କାର୍ଯ୍ୟକାରିତା, ଜଙ୍ଗଲଜାତ ଦ୍ରବ୍ୟର ବିପଣନ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ, ଆର୍ଟିକିଲ ୨୭୫(୧), ପ୍ରଧାନମନ୍ତ୍ରୀ ଜନମନ ଯୋଜନା, ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଇତ୍ୟାଦି ଯୋଜନାର କାର୍ଯ୍ୟକାରିତା ଏବଂ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ରାଜ୍ୟପାଳ ସମୀକ୍ଷା କରିଥିଲେ।