ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଛାତ୍ରଛାତ୍ରୀଙ୍କ ‘ଅପାର୍’ ଆଇଡି ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ରଛାତ୍ରୀମାନଙ୍କ ସ୍ଥାୟୀ ଡିଜିଟାଲ୍ ପରିଚୟପତ୍ର କୁହାଯାଉଥିବା ‘ଅପାର୍’ (ଅଟୋମେଟେଡ୍ ପରମାନେଣ୍ଟ୍ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି) ବାଧ୍ୟତାମୂଳକ ନୁହେଁ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅପାର୍ ଆଇଡି ସଂପୂର୍ଣ୍ଣ ଭାବେ ଇଚ୍ଛାଧୀନ । ତେଣୁ ଏହାକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ । ଅଭିଭାବକଙ୍କ ସହମତି ଅନୁସାରେ ଏହା ତିଆରି ହେବ । ତେଣୁ ସହମତି ବା କନ୍ସେଣ୍ଟ୍ ଫର୍ମରେ ବିକଳ୍ପ ଭାବେ “ଅଗ୍ରାହ୍ୟ ବା ନାକଚ’ର ଅପସନ୍ ବା ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ଏ ସଂପର୍କିତ ଏକ ମାମଲାର ବିଚାର କରି ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଶଶିକାନ୍ତ ମିଶ୍ର ରାୟ ଦେଇଛନ୍ତି । ଅପାର ଆଇଡି ପ୍ରସ୍ତୁତ ପାଇଁ ଅଭିଭାବକମାନଙ୍କୁ ଦିଆଯାଇଥିବା ସହମତି ଫର୍ମରେ “ଅଗ୍ରାହ୍ୟ’ ପାଇଁ କୌଣସି ଅପ୍ସନ୍ ନ ଥିବାରୁ ଏହାକୁ ବିରୋଧ କରି ଅଭିଭାବକ ରୋହିତ ଆନନ୍ଦ ଦାସ ଓ ଅନ୍ୟମାନଙ୍କ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲା ରାୟ ପ୍ରକାଶ କରି ଜଷ୍ଟିସ୍ ମିଶ୍ର କହିଛନ୍ତି ଯେ, ଅପାର ଆଇଡି ବ୍ୟବସ୍ଥା ଇଚ୍ଛାଧୀନ । ତେଣୁ ଅଭିଭାବକମାନଙ୍କୁ ଦିଆଯାଉଥିବା କନ୍ସେଣ୍ଟ୍ ଫର୍ମକୁ ଦୁଇମାସ ମଧ୍ୟରେ ସଂଶୋଧନ ପାଇଁ ପଦକ୍ଷେପ ନେବାକୁ ହାଇକୋର୍ଟ କେନ୍ଦ୍ର, ରାଜ୍ୟ ଓ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଫର୍ମରେ ସ୍ପଷ୍ଟ ଭାବେ “ଅଗ୍ରାହ୍ୟ ବା ନାକଚ’ ବିକଳ୍ପ ଯୋଡ଼ିବାକୁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ରୋହିତ ଆନନ୍ଦ ଦାସ ଓ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଥିଲା ଯେ ସେମାନଙ୍କ ପିଲାମାନେ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଛନ୍ତି । ସ୍କୁଲ ପକ୍ଷରୁ ୨୦୨୪ ଡିସେମ୍ବର ୨୮ରେ ଏକ ଚିଠି କରାଯାଇଥିଲା । ଏହି ଚିଠିରେ ଅପାର ଆଇଡି କରିବା ପାଇଁ ଆଧାର ଏବଂ ଅଭିଭାବକଙ୍କ ସହମତିପତ୍ର ଦେବାକୁ କୁହାଯାଇଥିଲା । ସ୍କୁଲ ପକ୍ଷରୁ ଅଭିଭାବକଙ୍କୁ ଦିଆଯାଇଥିବା ସହମତି ପତ୍ର (କନ୍ସେଣ୍ଟ୍ ଫର୍ମ)ରେ ଅପାର ଆଇଡି କରିବାକୁ “ଇଚ୍ଛୁକ ନୁହେଁ’ ବା “ନାଁ’ କହିବା ପାଇଁ କୌଣସି ବିକଳ୍ପ ଦିଆଯାଇ ନ ଥିଲା । ଅପାର ଆଇଡି ଇଚ୍ଛାଧୀନ ବୋଲି କୁହାଯାଉଥିବାବେଳେ ଫର୍ମରେ ଅଗ୍ରାହ୍ୟ ବିକଳ୍ପ ବ୍ୟବସ୍ଥା ଦିଆଯାଇ ନଥିବାରୁ ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ ସହମତିପତ୍ରରେ ମନା କରିବାର ବିକଳ୍ପ ଦିଆଯାଇ ନ ଥିବାରୁ ଅପାର ଆଇଡି ବାଧ୍ୟତାମୂଳକ ବୋଲି ଧରାଯାଉଛି । ଏହା ପିଲାମାନଙ୍କ ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରୁଛି । ପିଲାମାନଙ୍କ ତଥ୍ୟ ତୃତୀୟ ପକ୍ଷ ଜାଣିବାର ଆଶଙ୍କା ରହିଛି ଓ ଏଥିରେ ସୁରକ୍ଷା ବ୍ୟବସ୍ଥା ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ସ୍କୁଲ ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ ଅପାର ଆଇଡି ସମ୍ପୂର୍ଣ୍ଣ ଭାବେ ଇଚ୍ଛାଧୀନ । ସହମତି ନ ଦେବା ବା ପ୍ରତ୍ୟାହାରର ବିକଳ୍ପ କନେ୍ସଣ୍ଟ ଫର୍ମରେ ଶେଷରେ ଲେଖାଯାଇଛି । କେବଳ ସେହି ପିଲାଙ୍କର ଅପାର ଆଇଡି ତିଆରି ହେବ ଯେଉଁ ଅଭିଭାବକମାନେ ସହମତି ଦେବେ । ଅଦାଲତ ଉଭୟ ପକ୍ଷଙ୍କ ଯୁକ୍ତିକୁ ଶୁଣିବା ପରେ ଅପାର ଆଇଡି ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି । ଯେହେତୁ କନସେଣ୍ଟ ଫର୍ମର ପ୍ରାରମ୍ଭରେ “ଅଗ୍ରାହ୍ୟ ବା ନାକଚ’ର ବିକଳ୍ପ ଲେଖାଯାଇ ନାହିଁ ତେଣୁ ଏହା ଗ୍ରହଣୀୟ ନୁହେଁ । ଦୁଇ ମାସ ମଧ୍ୟରେ କେନ୍ଦ୍ର, ରାଜ୍ୟ ଓ ପ୍ରାଧିକୃତ ଅଧିକାରୀମାନେ କନେ୍ସଣ୍ଟ ଫର୍ମରେ ଅଗ୍ରାହ୍ୟ ବିକଳ୍ପ ବ୍ୟବସ୍ଥା ସ୍ପଷ୍ଟ ଭାବେ ଯୋଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ।



