ଗୁଟଖା, ନିକୋଟିନ ବ୍ୟାନ୍: ରାଜ୍ୟ ସରକାର ଜାରି କଲେ ବିଜ୍ଞପ୍ତି

ଭୁବନେଶ୍ଵର: ରାଜ୍ୟ ସରକାର ଆଜି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ତମାଖୁ, ଗୁଟଖା, ନିକୋଟିନ ଯୁକ୍ତ ସମସ୍ତ ଖାଦ୍ୟ ପଦାର୍ଥ ଉପରେ କଟକଣା ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଗୁଟଖା ବ୍ୟବସାୟ କରିବାକୁ ନିଷ୍ପତ୍ତି ହୋଇଛି। ଜାନୁୟାରୀ ୨୧ ତାରିଖରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଏହି ନିୟମ ଜାନୁଆରୀ ୨୧ ତାରିଖରୁ ଲାଗୁ ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ରାଜ୍ୟରେ ତମାଖୁ କିମ୍ବା ନିକୋଟିନ୍ ମିଶ୍ରିତ ସମସ୍ତ ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବଣ୍ଟନ କିମ୍ବା ବିକ୍ରିକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ଏହି ନିଷେଧାଦେଶ ସମସ୍ତ ଚର୍ବଣକ୍ଷମ କିମ୍ବା ସୁଗନ୍ଧିତ ଖାଦ୍ୟ ପଦାର୍ଥ ପାଇଁ ପ୍ରଯୁଜ୍ୟ ହେବ। ଗୁଟଖା, ପାନ ମସଲା କିମ୍ବା ଅନ୍ୟ ଯେକୌଣସି ନାମରେ ବିକ୍ରି ହେଉଥିବା ସୁଗନ୍ଧିତ କିମ୍ବା ଚର୍ବଣକ୍ଷମ ଖାଦ୍ୟ ପଦାର୍ଥ ଉପରେ ଏହି କଟକଣା ଲାଗୁ ହେବ। ଯଦି ତମାଖୁ ଏବଂ ପାନ ମସଲା ଅଲଗା ଅଲଗା ପ୍ୟାକେଟରେ ମଧ୍ୟ ବିକ୍ରି କରାଯାଏ, ଯାହାକୁ ଗ୍ରାହକ ସହଜରେ ମିଶାଇ ବ୍ୟବହାର କରିପାରିବେ, ତେବେ ସେହିପରି ବିକ୍ରୟ ମଧ୍ୟ ନିଷିଦ୍ଧ। ଏହି ବିଜ୍ଞପ୍ତି ତାରିଖ ୦୩.୦୧.୨୦୧୩ ରେ ଜାରି ହୋଇଥିବା ପୂର୍ବ ବିଜ୍ଞପ୍ତି (ନଂ. ୩୬୭/H) ର ସ୍ଥାନ ନେବ ବୋଲି ସଦ୍ୟ ପ୍ରକାଶିତ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button