ସିଆରପିଏଫ୍ ବଙ୍କର ଉପରେ ଗ୍ରେନେଡ ଆକ୍ରମଣ: ୧୨ ସାଧାରଣ ନାଗରିକ ଆହତ
ନୂଆଦିଲ୍ଲୀ: ଆଜି ଶ୍ରୀନଗର, ଜମ୍ମୁ କାଶ୍ମୀରରେ ଏକ ବଡ଼ ଗ୍ରେନେଡ ଆକ୍ରମଣ ହୋଇଛି। ଅଲ ଇଣ୍ଡିଆ ରେଡିଓ ଷ୍ଟେସନ ବାହାରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ବଙ୍କର ଉପରେ ଏହି ଆକ୍ରମଣ କରାଯାଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ ଅତି କମରେ ୧୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଥିଲେ ଯେଉଁ ସମୟରେ ରବିବାର ମାର୍କେଟ ବହୁତ ଭିଡ଼ ଜମିଥିଲା ଏବଂ ଟିଆରସି ମଧ୍ୟ ସେଠାରେ ଥିଲା। ଏହି କେନ୍ଦ୍ର ନିକଟରେ ଗ୍ରେନେଡ ଫିଙ୍ଗି ଦିଆଯାଇଥିଲା। ଗ୍ରେନେଡ ବିସ୍ଫୋରଣ ହେବା ପରେ ଏହି ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା ଏବଂ ଦୋକାନୀମାନେ ସେମାନଙ୍କ ଜୀବନ ରକ୍ଷା କରିବା ପାଇଁ ଦୌଡିବା ଆରମ୍ଭ କରିଥିଲେ। ଗ୍ରେନେଡ ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କୁ ତୁରନ୍ତ ଶ୍ରୀ ମହାରାଜା ହରି ସିଂ ହସ୍ପିଟାଲ (SMHS) ରେ ଭର୍ତ୍ତି କରାଯାଇଥିଲା। ଏସଏମଏଚଏସ ମେଡିକାଲ ଅଧୀକ୍ଷକ ଡାଃ ତସନିମ ଶୌକତ କହିଛନ୍ତି ଯେ, ଆହତଙ୍କ ମଧ୍ୟରେ ଆଠ ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି। ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି। ଏହି ଆକ୍ରମଣ ପରେ କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ସ ଗ୍ରୁପକୁ ତଦନ୍ତ ପାଇଁ ନିୟୋଜିତ କରାଯାଇଥିବାବେଳେ ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ଏବଂ ପାରାମିଲିଟାରୀ ଫୋର୍ସକୁ ଘଟଣାସ୍ଥଳକୁ ପଠାଯାଇଛି।