୬୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିବେ ସରକାର

ଭୁବନେଶ୍ୱର: ଖରିଫ୍ ବିପଣନ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟ ସରକାର ଅନ୍ତତଃ ୬୩ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଧାନ ହିସାବରେ ଏହା ପ୍ରାୟ ୯୩ ଲକ୍ଷ ମେଟ୍ରିକ୍ ଟନ୍ ହେବ । ଖରିଫ ଓ ରବିରେ ଧାନ ସଂଗ୍ରହର ଧାର୍ଯ୍ୟଲକ୍ଷ୍ୟ ଯଥାକ୍ରମେ ୭୩ ଲକ୍ଷ ଓ ୨୦ ଲକ୍ଷ ମେଟ୍ରିକ୍ ଟନ ରହିବ । ଏହାଠାରୁ ଅଧିକ ଧାନ ଯଦି ପଞ୍ଜିକୃତ ଚାଷୀଙ୍କଠାରୁ ମଣ୍ଡିକୁ ଆସେ, ତାହା ମଧ୍ୟ ରାଜ୍ୟ ସରକାର କ୍ରୟକରିବେ। ତେବେ ଧାନ ସଂଗ୍ରହ ୧ ଅକ୍ଟୋବର ୨୦୨୫ରୁ ଆରମ୍ଭ ହୋଇ ୩୦ ସେପ୍ଟେମ୍ବର୍ ୨୦୨୬ରେ ସମାପ୍ତ ହେବ । ଏହି ବର୍ଷ ବ୍ୟାପୀ ଅବଧି ମଧ୍ୟରେ ରାଜ୍ୟ ସରକାର ଖରିଫ ଓ ରବି ଋତୁ ପାଇଁ ପୃଥକ୍ ଭାବରେ ଧାନ ସଂଗ୍ରହ କରିବେ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ୨୮ତମ ଅନୁଷ୍ଠିତ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ଆହୁଜା କହିଛନ୍ତି, ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସମ୍ପର୍କିତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା କରିବା ପାଇଁ “ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି, ୨୦୨୫-୨୬’କୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସର୍ବନିମ୍ନ ସହାୟକ ରାଶି ପ୍ରଦାନ କରି ପଞ୍ଜିକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ ପ୍ସଗ୍ରହ କରାଯିବ। ନିୟୋଜିତ କଷ୍ଟମ୍ ମିଲର୍ଙ୍କ ଦ୍ୱାରା ଏହି ଧାନର ସମତୁଲ୍ୟ ଚାଉଳ ସଂଗ୍ରହ କରାଯିବ। ସଂଗୃହୀତ ଚାଉଳକୁ ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାର ଆବଶ୍ୟକତା ପୂରଣ ପାଇଁ ବ୍ୟବହାର କରାଯିବ। ବଳକା ଚାଉଳକୁ ଭାରତୀୟ ଖାଦ୍ୟ ନିଗମ ମାଧ୍ୟମରେ କେନ୍ଦ୍ରୀୟ ଭଣ୍ଡାରକୁ ପ୍ରଦାନ କରାଯିବ।ଶ୍ରୀ ଆହୁଜା ସ୍ପଷ୍ଟ କରିଛନ୍ତି।