ଅଂଶୁଘାତ ପାଇଁ ସରକାରୀ କଟକଣା: ସକାଳ ୧୧ରୁ ଅପରାହ୍ନ ୩ଟା ଯାଏ ଶ୍ରମିକଙ୍କୁ କାମ କରିବା ମନା

ଭୁବନେଶ୍ବର: ଗ୍ରୀଷ୍ମ ଋତୁରେ ଅଂଶୁଘାତ ଆଶଙ୍କାକୁ ଦୃଷ୍ଟିରେ ରଖି ଶ୍ରମିକଙ୍କ ପାଇଁ ଜାରି ହେଲା କଟକଣା । ଏପ୍ରିଲ ୧ରୁ ଜୁନ୍ ୧୫ ମଧ୍ୟରେ ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ଟା ଯାଏ ଶ୍ରମିକଙ୍କୁ କାମ କରିବା ପାଇଁ ମନା କରାଯାଇଛି । ସମସ୍ତ ବାଣିଜ୍ୟ, ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ଏହି ନିୟମ ଲାଗୁ ହେବ । ଜରୁରୀ ଥିଲେ ରୌଦ୍ରତାପରୁ ରକ୍ଷା କରିବା ପାଇଁ ସତର୍କମୂଳକ ପଦକ୍ଷେପ ନେବାକୁ ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ଏପ୍ରିଲ ମାସରୁ ରୌଦ୍ରତାପ ବୃଦ୍ଧି ସମ୍ଭାବନା ଥିବାରୁ ସମ୍ଭାବ୍ୟ ଅଂଶୁଘାତକୁ ନେଇ ପଦକ୍ଷେପ ଗ୍ରହଣ କରୁଛି ଶ୍ରମ ବିଭାଗ । ପ୍ରଚଣ୍ଡ ଖରାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏ ନେଇ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ନେବା ନିମନ୍ତେ ସମସ୍ତ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା ଭାରତ ସରକାରଙ୍କର ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଏବଂ ଠିକାଦାରମାନଙ୍କୁ ମଧ୍ୟ ଏହି ନିୟମ ମାନିବାକୁ ଅନୁରୋଧ କରାଯାଇଛି । ସେମାନଙ୍କ ଅଧୀନରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ନିମନ୍ତେ ପ୍ରତ୍ୟେହ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ କାମରେ ନ ଲଗାଇବାକୁ ବିବଧ ବ୍ୟବସ୍ଥା ଗ୍ରହଣ କରିବା ଏବଂ ଆବଶ୍ୟକ ସ୍ଥଳେ କାର୍ଯ୍ୟନିର୍ଘଣ୍ଟର ସମୟ ପରିବର୍ତ୍ତନ କରିବାକୁ କୁହାଯାଇଛି ।



