୧୬ରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସକାଳୁ ମିଳିବ ଅବଢ଼ା

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଆସନ୍ତା ୧୬ ତାରିଖଠାରୁ ସକାଳ ୯ଟାରୁ ଠାକୁରଙ୍କ ଅବଢ଼ା ମିଳିବ। ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ୟ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣ ଏହି ଭେଗ ପାଇପାରିବେ। ଏହାଦ୍ବାରା ତୀର୍ଥଯାତ୍ରୀମାନେ ଉପକୃତ ହେବେ। ସକାଳୁ ଆସୁଥିବା ପର୍ୟ୍ୟଟକ ଠାକୁରଙ୍କ ଦର୍ଶନ ପରେ ଅବଢ଼ା ଖାଇବା ସୁବିଧା ପାଇବେ। ସେହିଦିନଠୁ ଏକ ମାସ ଧରି ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବ। ସକାଳ ୯ଟାରେ ଭୋଗ ମଣ୍ଡପ ସମାପନ କରାଯାଇ ଅପରାହ୍ଣ ୨ଟା ପର୍ୟ୍ୟନ୍ତ ସାହାଣମେଲା ଦର୍ଶନ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଧନୁ ସଂକ୍ରାନ୍ତି ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ଏନେଇ ବିଭିନ୍ନ ନିଯୋଗକୁ ଚିଠି କରାଯାଇଛି। ସଅଳ ଧୂପ ପାଇଁ ସବୁ ସେବାୟତଙ୍କ ସହଯୋଗ ଆବଶ୍ୟକ। ତେବେ ସେବାୟତଙ୍କ ସହ କୌଣସି ଆଲୋଚନା ନହୋଇ ନୀତି ନିର୍ଘଣ୍ଟ କରାଯାଇଛି। ପୂର୍ବବର୍ଷ ନୀତିକୁ ନେଇ ଚିଠି କରାଯାଇଛି ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି କହିଛନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ ସବୁ ନିଯୋଗ ପ୍ରମୁଖଙ୍କ ସହ ଆଲୋଚନା କରିବା କଥା। ଏପଟେ ସକାଳୁ ଅବଢ଼ା ପାଇଁ ବହୁ ଭକ୍ତଙ୍କ ଭିଡ଼ ହେବା ଆଶଙ୍କା ଥିବାରୁ ମନ୍ଦିରର ରୋଷ ସେବାୟତମାନେ ପୂର୍ବ ପ୍ରସ୍ତୁତି ଚଳାଇଛନ୍ତି। ସକାଳ ଧୂପ ପରେ ଅବଢ଼ା ମିଳିବା ଦ୍ବାରା ବହୁ ପର୍ୟ୍ୟଟକ ଓ ତୀର୍ଥଯାତ୍ରୀ ସହଜରେ ମନ୍ଦିରର ଆନନ୍ଦବଜାରରେ ଅବଢ଼ା ପାଇ ପାରିବେ ବୋଲି ସେବାୟତମାନେ କହିଛନ୍ତି।