‘ସୁଭଦ୍ରା ସାଧନ କେନ୍ଦ୍ରର’ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ‘ପଞ୍ଚତତ୍ତ୍ୱ ପାର୍କ’ର ଉଦଘାଟନ କରିବା ସହ ‘ସୁଭଦ୍ରା ସାଧନ କେନ୍ଦ୍ର’ର ଭିତ୍ତିପ୍ରସ୍ତର ସ୍ଥାପନ ତଥା ସୁପୋଷିତ ଓଡ଼ିଶା ମିଶନ ଅନ୍ତର୍ଗତ ରାଜ୍ୟସ୍ତରୀୟ ଓରିଏଣ୍ଟେସନ-କମ୍-କାପାସିଟି ବିଲଡିଂର ଦୁଇଦିନିଆ କର୍ମଶାଳାର ଶୁଭାରମ୍ଭ କରିବା ସହ ‘ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା’ ଅଧୀନରେ ଶିଶୁମାନଙ୍କ ପାଇଁ ପୋଷାକ ଓ ଶୀତବସ୍ତ୍ର ମୂଲ୍ୟରେ ସଂଶୋଧନ କରି ମହିଳା ଓ ଶିଶୁଙ୍କ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିଜ ଅଭିଭାଷଣରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ପାଇଁ ତୃଣମୂଳ ସ୍ତରରେ ମା’ମାନଙ୍କୁ ଶିକ୍ଷିତ ତଥା ସଚେତନ କରିବାକୁ ସେ ଆହ୍ୱାନ ଦେଇଥିଲେ, ଯାହାଫଳରେ ସେମାନେ ଶିଶୁମାନଙ୍କ ଯତ୍ନ ନେବାରେ ସହାୟକ ହୋଇପାରିବେ । ଏହାସହ ସେ ସ୍ଥାନୀୟ ସ୍ତରରେ ଉପଲବ୍ଧ ପୁଷ୍ଟିକର ଖାଦ୍ୟର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ନବନିର୍ମିତ ‘ପଞ୍ଚତତ୍ତ୍ୱ ପାର୍କ’ ବିଷୟରେ ଆଲୋକପାତ କରି ସେ ମହିଳାମାନଙ୍କ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ବିଷୟରେ ସୂଚନା ଦେଇଥିଲେ । ଉପମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ ରାଜ୍ୟ ସରକାର ସଫଳତାର ସହ ୫୫,୦୦୦ ଅଙ୍ଗନବାଡି କେନ୍ଦ୍ରକୁ ନିଜସ୍ୱ ଗୃହ ଯୋଗାଇ ଦେଇଛନ୍ତି ।



