କୃମି ଔଷଧ ଖାଇ ୪୦ ଛାତ୍ରଛାତ୍ରୀ ଅସୁସ୍ଥ

ଭୁବନେଶ୍ବର: କୃମିନାଶକ ଦିବସରେ ସ୍କୁଲରେ କୃମି ଔଷଧ ଖାଇ ୪୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ଅଭିଯୋଗ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଓଚିନ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇପଡ଼ିଛନ୍ତି । ଚିକିତ୍ସା ପାଇଁ ସମସ୍ତଙ୍କୁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜାତୀୟ କୃମି ନାଶକ ଦିବସ ଅବସରରେ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ କୃମି ଔଷଧ ଦିଆଯାଇଥିଲା । ଓଚିନ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀମାନଙ୍କୁ କୃମି ଔଷଧ ଖାଇବାକୁ ଦିଆଯାଇଥିଲା । ସ୍ଥାନୀୟ ଆଶା କର୍ମୀ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଔଷଧ ଖାଇବାକୁ ଦେଇଥିଲେ । ତେବେ ଔଷଧ ଖାଇସାରିବା ପରେ କିଛି ପିଲାଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ପରେ ଅଧିକରୁ ଅଧିକ ପିଲାଙ୍କ ବାନ୍ତି ହେବାସହ ପାଖାପାଖି ୪୦ରୁ ଅଧିକ ପିଲା ଅସୁସ୍ଥ ହୋଇପଡ଼ିଥିଲେ । ସେପଟେ ତୁରନ୍ତ ଶିକ୍ଷକ ଓ ଗ୍ରାମବାସୀମାନେ ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ କୋରେଇ ମେଡ଼ିକାଲକୁ ନେଇଯାଇଥିଲେ ।



